ଡେଲଟାକୁ ହଟାଇ ବିଶ୍ବର ହୀତ କରୁଛି ଓମିକ୍ରନ : ବିଶେଷଜ୍ଞ
ନୂଆଦିଲ୍ଲୀ, ୨୯/୧୨: (ସଂକେତ୍ ଟିଭି) ସମଗ୍ର ବିଶ୍ବରେ ଓମିକ୍ରନ ଆତଙ୍କ ଖେଳାଇ ଥିବାବେଳେ ମହାରାଷ୍ଟ୍ର ସରକାରର କୋଭିଡ ଟାସ୍କ ଫୋର୍ସ ସଦସ୍ୟ ଡ. ବସନ୍ତ ନାଗଭେକର ଏକ ଆଶ୍ବସ୍ତିକର ବୟାନ ଦେଇଛନ୍ତି ।
ଓମିକ୍ରନ କେବଳ ଦ୍ରୁତ ସଂକ୍ରମକ ଏବଂ ଡେଲ୍ଟା ଭାରିଆଣ୍ଟ ଅପେକ୍ଷା କମ୍ ଘାତକ । ଓମିକ୍ରନ ସଂକ୍ରମିତଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ଖୁବ୍ କମ୍। ଏହି ନୂଆ ଭାରିଆଣ୍ଟ ଅଧିକ ଘାତକ ହୋଇଥିବାର କୌଣସି ପ୍ରମାଣ ମିଳିନାହିଁ, କେବଳ ଦ୍ରୁତ ସଂକ୍ରମକ ଯୋଗୁଁ ଏହି ଭାଇରସ ବିଶ୍ବରେ ଡେଲ୍ଟାକୁ ହଟାଇ ତାହାର ସ୍ଥାନ ନେବ ଏବଂ ଏହାଦ୍ବାରା ସମଗ୍ର ବିଶ୍ବର ହିତ ସାଧନ ହୋଇପାରେ ବୋଲି ନାଗଭେକର ଆଶାବ୍ୟକ୍ତ କରିଛନ୍ତି ।
ସାଉଥ ଆଫ୍ରିକାର ଡାଟା ଅନୁଯାୟୀ, ଏଠାରେ ସଂକ୍ରମିତଙ୍କ ମଧ୍ୟରେ କମ୍ ବୟସ୍କ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଏବଂ ସେମାନଙ୍କ ଠାରେ ସଂକ୍ରମଣ ମଧ୍ୟ ସାମାନ୍ୟ । ମାତ୍ର ଏହା ଦ୍ରୁତ ସଂକ୍ରାମକ ହୋଇଥିବା ଯୋଗୁଁ ବ୍ୟାପକ ସତର୍କତା ଜରୁରୀ । ମହାମାରୀ କବଳରୁ ରକ୍ଷା ପାଇବାର ଶ୍ରେଷ୍ଠ ବିକଳ୍ପ ହେଉଛି, ଯେପରି ପ୍ରତ୍ୟେକ ସ୍ଥାନରେ ଲୋକଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରାଯାଇ ପାରିବ ତାହା ସୁନିଶ୍ଚିତ କରିବା ।
ବର୍ତ୍ତମାନ ସମୟରେ ଭାରତ ସମେତ ଅନ୍ୟ ରାଷ୍ଟ୍ରଗୁଡିକରେ ଟୀକାକରଣ ଅଭିଯାନ ଶିଥିଳ ରହିଥିବା ସେ ପ୍ରକାଶ କରିଛନ୍ତି । କେତେକ ଅଧ୍ୟୟନ ଏହାମଧ୍ୟ ଜଣାଯାଇଛି କି, ପ୍ରଚଳିତ କୋରୋନା ଟିକାର ଦୁଇଟି ଡୋଜ୍ ଓମିକ୍ରନ ବିରୁଦ୍ଧରେ ସେତେଟା ପ୍ରଭାବଶାଳୀ ହୋଇନପାରେ ଯାହା ବୁଷ୍ଟର ଡୋଜ କରିପାରିବ ।