କରୋନାର ତୃତୀୟ ଲହର ଯେମିତି ଆସିବ, ସେମିତି ଯିବ: ବିଶେଷଜ୍ଞ
ନୂଆଦିଲ୍ଲୀ, ୩୦/୧୨: (ସଂକେତ୍ ଟିଭି) ଭାରତରେ କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନର ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହା ଖୁବ ଶିଘ୍ର ଶିଖର ଛୁଇଁବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ସବୁଠାରୁ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବା ଏହି ପ୍ରଜାତି ଭୂତାଣୁ ଯୋଗୁଁ ଭାରତରେ ଦୈନିକ ସଂକ୍ରମଣ ବିସ୍ପୋରକ ହେବ । ଏହି ପ୍ରଜାତି ଭୂତାଣୁ ଯୋଗୁଁ ଦେଶରେ ତୃତୀୟ ଲହର ଆସିବ । ତେବେ ଓମିକ୍ରନ
ପ୍ରଜାତି ଯୋଗୁଁ ଭାରତରେ ଯେଉଁ ତୃତୀୟ ଲହର ଆସିବ ତାହା ସ୍ୱଳ୍ପ ଅବଧି ବିଶିଷ୍ଟ ହେବ । ଅର୍ଥାତ ଏହି ଲହର ଶୀଘ୍ର ଚାଲିଯିବ ।
କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଜଜ୍ ବିଜନେସ୍ ସ୍କୁଲର ପ୍ରଫେସର ପଲ୍ କାଟ୍ଟୁମ୍ୟାନ ଓ ତାଙ୍କ ଦଳ କହିଛନ୍ତି ଯେ ଓମିକ୍ରନ ଯୋଗୁଁ ଭାରତରେ ଯେଉଁ ଲହର ଆସିବ ତାହା ଅନ୍ୟ ଦୁଇ ଲହର ତୁଳନାରେ ସ୍ୱଳ୍ପକାଳୀନ ହେବ । ଅର୍ଥାତ୍ ଏହା ଅଳ୍ପ ସମୟ ମଧ୍ୟରେ ନିୟନ୍ତ୍ରଣକୁ ଆସିବ । କାଟ୍ଟୁମ୍ୟାନ କହିଛନ୍ତି ଯେ ଆଉ ଅଳ୍ପ ଦିନ ମଧ୍ୟରେ ଓମିକ୍ରନ ସଂକ୍ରମଣ ଶିଖର ଛୁଇଁବ । ସଂକ୍ରମଣର ଶିଖର ସମୟରେ ଦୈନିକ ସଂକ୍ରମଣ କେତେ ହେବ ତାହା ସେ କହିନାହାନ୍ତି । କାଟ୍ଟୁମ୍ୟାନ ଓ ତାଙ୍କ ଦଳ ଭାରତରେ କୋଭିଡ୍ ଟ୍ରାକରକୁ ବିକଶିତ କରିଛନ୍ତି । ଡିସେମ୍ବର ୨୪ରେ ଓମିକ୍ରନ ସଂକ୍ରମଣର କେନ୍ଦ୍ରସ୍ଥଳ ଭାବେ ୬ଟି ରାଜ୍ୟକୁ ଚିହ୍ନଟ କରାଯାଇଥିବା ବେଳେ ଡିସେମ୍ବର ୨୬ରେ ୧୧ଟି ରାଜ୍ୟକୁ କେନ୍ଦ୍ରସ୍ଥଳ ଚିହ୍ନଟ କରାଯାଇଛ ।
ଏହା ପୂର୍ବରୁ କେମ୍ବ୍ରିଜର କରୋନା ଟ୍ରାକର ଦ୍ୱିତୀୟ ଲହର ସମ୍ପର୍କରେ କରିଥିବା ପୂର୍ବାନୁମାନ ଠିକ୍ ରହିଥିଲା । କେମ୍ବ୍ରିଜ୍ ଟ୍ରାକର ପୂର୍ବାନୁମାନ କରିଥିଲା ଯେ ମେ ମାସରେ ଭାରତରେ କରୋନା ସଂକ୍ରମଣ ଶିଖର ଛୁଇଁବ ଓ ଅଗଷ୍ଟରେ ଏହା ହ୍ରାସ ପାଇବ । ୨୦୨୦ ଏପ୍ରିଲରେ ଦେଶରେ ଦୈନିକ କରୋନା ସଂକ୍ରମଣ ୪ଲକ୍ଷରୁ ଅଧିକ ରହିଥିଲା । ଏଥିପାଇଁ ଦେଶରେ ଡାକ୍ତରଖାନା ଦେଶରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅମ୍ଳଜାନର ବ୍ୟାପକ ଅଭାବ ଦେଖାଯାଇଥିଲା ।
ଦେଶରେ କରୋନା ଟିକାକରଣ ଅଭିଯାନ ତ୍ୱରାନ୍ୱିତ ହେବା ସହିତ ଅଧିକାଂଶ ଲୋକ ଟିକା ନେଇସାରିଲେଣି । ତେଣୁ ତୃତୀୟ ଲହର ସେପରି ଘାତକ ହେବ ନାହିଁ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୭,୯୯,୬୯୧ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୪,୮୦,୨୯୦ରେ ପହଞ୍ଚିଛି । ଦେଶରେ ଏବେ ୭୫,୪୫୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।