ସତର୍କ କଲା “ହୁ’: ବିଶ୍ୱରେ ରେକର୍ଡ କରୋନା ସଂକ୍ରମଣ

ନୂଆଦିଲ୍ଲୀ, ୩୦/୧୨: (ସଂକେତ୍ ଟିଭି) ବିଶ୍ୱରେ ରେକର୍ଡ କୋଭିଡ୍ ସଂକ୍ରମଣ ଚିହ୍ନଟ ହୋଇଛି । ବିଶ୍ୱରେ ମଙ୍ଗଳବାର ଦିନକରେ ୧୦ ଲକ୍ଷ ୪୪ ହଜାର ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ପୂର୍ବ ରେକର୍ଡକୁ ଏହା ଭାଙ୍ଗି ଦେଇଛି । ଅତ୍ୟନ୍ତ ସଂକ୍ରାମକ ଓମିକ୍ରନ୍ ପ୍ରଜାତି ଏବେ ବୈଶ୍ୱିକ ସ୍ତରରେ ଏକ ପ୍ରଭାବଶାଳୀ ପ୍ରଜାତିରେ ପରିଣତ ହୋଇଛି ।

ପୂର୍ବ ପ୍ରଜାତି ତୁଳନାରେ ଓମିକ୍ରନ୍ ୭୦ ଗୁଣା ଅଧିକ ସଂକ୍ରାମକ । କିନ୍ତୁ ଅତ୍ୟଧିକ ସଂକ୍ରାମକ ହୋଇଥିଲେ ସୁଦ୍ଧା ଏହା ଏତେ ଆକ୍ରାନ୍ତଙ୍କୁ ଗୁରୁତର କରୁନାହିଁ । ବିଶେଷ କରି ଟିକା ନେଇଥିବା ବ୍ୟକ୍ତି ଏବଂ ବୁଷ୍ଟର ଡୋଜ୍ ନେଇଥିବା ବ୍ୟକ୍ତିଙ୍କର ଓମିକ୍ରନ୍ କିଛି କ୍ଷତି କରିବନାହିଁ । ଓମିକ୍ରନ୍ ଯୋଗୁଁ ସଂକ୍ରମଣ ବଢିଚାଲିଥିଲେ ବି ବିଶ୍ୱରେ କରୋନା ମୃତ୍ୟୁ ବି ନାହିଁ ।

ଅକ୍ଟୋବର ମଧ୍ୟଭାଗରୁ ବିଶ୍ୱରେ ସାପ୍ତାହିକ ହାରାହାରି କରୋନା ମୃତ୍ୟୁ ୭ ହଜାର ରହୁଛି । ଓମିକ୍ରନ୍ ଆତଙ୍କ ମଧ୍ୟରେ ଏବେ ଫ୍ରାନ୍ସ, ବ୍ରିଟେନ୍ ଏବଂ ଇଟାଲିରେ ଲଗାତାର ସଂକ୍ରମଣ ବଢିବାରେ ଲାଗିଛି । ଅନ୍ୟପକ୍ଷେ ଆମେରିକାରେ ଓମିକ୍ରନ୍ ଆତଙ୍କ ଖେଳାଇ ଦେଇଛି । ଓମିକ୍ରନ୍ ପାଇଁ ଆମେରିକାରେ ସଂକ୍ରମଣ ବଢିଚାଲିଛ । ଆମେରିକାରେ ମୋଟ୍ କରୋନା ପ୍ରଜାତିର ୫୮.୬ ପ୍ରତିଶତ ହେଉଛି ଓମିକ୍ରନ । ଅନ୍ୟପକ୍ଷେ ୪୧.୪ ପ୍ରତିଶତ ମାମଲା ହେଉଛି ଡେଲଟା । ଆମେରିକାର ସିଡିସି (ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର) ତଥ୍ୟରୁ ଏହା ଜଣାପଡ଼ିଛି ।

ଆମେରିକା ଏବଂୟୁରୋପୀୟ ରାଷ୍ଟ୍ରରେ ସଂକ୍ରମଣ ବଢିଥିବାରୁ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ “ହୁ’ ସତର୍କ କରିଛନ୍ତି । ଓମିକ୍ରନ୍ ଏତେ ଭୟଙ୍କର ନୁହେଁ ବୋଲି ପୂର୍ବ ଅଧ୍ୟୟନରେ କୁହାଯାଇଥିଲେ ସୁଦ୍ଧା “ହୁ’ ସତର୍କ ରହିବାପାଇଁ କହିଛନ୍ତି । ସଂକ୍ରମଣ ବଢିବାରୁ ଚୀନ୍, ଜର୍ମାନୀରେ କଟକଣା କଡ଼ାକଡ଼ି ହୋଇଛି ।

“ହୁ’ର ୟୁରୋପ କୋଭିଡ୍ ମ୍ୟାନେଜର କ୍ୟାଥେରିନ ସ୍ମଲଉଡ୍ କହିଛନ୍ତି, ଓମିକ୍ରନ୍ ସଂକ୍ରମଣ ମାଡ଼ି ଚାଲିଥିବାରୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢିପାରେ । ବିଶେଷ କରି ଟିକା ନେଇନଥିବା ଅଧିକାଂଶ ଲୋକ ହସ୍ପିଟାଲରେ ଆଡମିଟ୍ ହୋଇପାରନ୍ତି ବୋଲି କ୍ୟାଥେରିନ କହିଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, କିଛି ହସ୍ପିଟାଲରେ ବେଡ୍ ନାହିଁ । କିନ୍ତୁ ଦେଶ କୋଭିଡର ନୂଆ ଲହରର ମୁକାବିଲା ପାଇଁ ଭଲଭାବେ ପ୍ରସ୍ତୁତ ରହିଛି । ବାଇଡେନ୍ କହିଛନ୍ତି, ଓମିକ୍ରନ୍ ଚିନ୍ତାର କାରଣ କିନ୍ତୁ ଏହାକୁ ନେଇ ଭୟ କରିବା ଉଚିତ ନୁହେଁ ।