ଛେଳି ଚୋରି ଭୋଜି କରି ଖାଇ ଦେଲେ ପୋଲିସ ଏଏସଆଇ, ଏସପି କଲେ ନିଲମ୍ବିତ

ବଲାଙ୍ଗିର,୦୧।୦୧: (ସଂକେତ ଟିଭି) ଛେଳି ଚୋରି ଭୋଜି କରି ଖାଇ ଦେଲେ ପୋଲିସ କର୍ମଚାରୀ । ଏହି ଘଟଣା ନେଇ ଲୋକେ ଥାନା ଘେରାଉ କଲା ପରେ ଏସପି ପୋଲିସ ବାବୁ ଜଣକୁ ନିଲମ୍ବିତ କରିଛନ୍ତି ।

ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ପୋଲିସ ଏଏସଆଇ ସୁମନ ମଲ୍ଲିକଙ୍କ ନିର୍ଦ୍ଦେଶରେ ପୋଲିସ କର୍ମଚାରି ମାନେ ଏକ ଛେଳି ଚୋରି କରି ଭୋଜି କରୁଥିବା ଅଭିଯୋଗ ହୋଇଥିଲା । ଜୋର ଜବରଦସ୍ତ ଛେଳି ମାଲିକକୁ ନ ଜଣାଇ ଛେଳି ମାରିଦେଇଥିବା ଅଭିଯୋଗ ହୋଇଥିଲା । ୨ଟି ଛେଳିକୁ ପୋଲିସର କିଛି କର୍ମଚାରୀ ଛେଳିକୁ ମାରି ଦେଇ ଥାନାକୁ ଆଣି ଛେଳି ମାଂସ ଖାଇଥିବା ଗାଁ ଲୋକେ ଅଭିଯୋଗ କରିଥିଲେ। ଗ୍ରାମବାସୀ ଏହାର ତୁରନ୍ତ କ୍ଷତିପୂରଣ ମଧ୍ଯ ଦାବି କରିଥିଲେ ।

ସେପଟେ ପୋଲିସ ମାଂସ ଖାଇ ନଥିବା କହି ଓଲଟା ଅଭିଯୋଗକାରୀଙ୍କୁ ଥାନାରେ ଅଟକ ରଖିଥିବାର ଅଭିଯୋଗ ଆସିଥିଲା । ଏହାପରେ ପରିବାର ଲୋକେ କ୍ଷତିପୂରଣ ଦାବିରେ ଥାନା ଘେରାଉ କରିଥିଲେ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢିବାକୁ ଲାଗିଥିଲା । ଯାହା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା ।

ଏହି ଘଟଣାରେ ବଲାଙ୍ଗିର ଏସପି ସିନ୍ଧେକେଲା ଥାନା ଏସ୍‌ଆଇ ସୁମନ ମଲ୍ଲିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।