ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ
ଭୁବନେଶ୍ବର,୦୨।୦୧: (ସଂକେତ ଟିଭି) ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟ ଏକ ସପ୍ତାହ ଧରି କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲ।ଗିଛି । କରୋନା ଗ୍ରାଫ୍କୁ ଅନୁଧ୍ୟାନ କଲେ ଡିସେମ୍ବର ୨୫ ତାରିଖରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୧୨ ଥିବାବେଳେ ଡିସେମ୍ବର ୩୧ ତାରିଖ ସୁଦ୍ଧା ଏହି ୨୯୮ରେ ପହଞ୍ଚିଛି । ଗତ ଦୁଇଦିନ ହେବ କରୋନା ସଂକ୍ରମଣ ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଥିବାରୁ ରାଜ୍ୟରେ ତୃତୀୟ ଲହର ପ୍ରବେଶ କରୁଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରଛନ୍ତି ।
ଓମିକ୍ରୋନ୍ ଯୋଗୁ ଏହି ସଂଖ୍ୟା ବୃଦ୍ଧି ଘଟୁଥିବା ପ୍ରାରମ୍ଭିକ ପର୍ଯ୍ୟାୟରେ ଆକଳନ କରାଯାଉଛି । ତେବେ ଗୋଷ୍ଠୀ ସଂକ୍ରମଣ ନେଇ କୌଣସି ପ୍ରମାଣ ନଥିବା କହିଛନ୍ତି ସ୍ୱାସ୍ଥ୍ୟ ସେବା ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ଜନସାଧାରଣ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସାମାନ୍ୟ ଥଣ୍ଡା କିମ୍ବା ଜ୍ୱର ହୋଇଥିଲେ ରୋଗୀମାନେ ନିଜର ଟେଷ୍ଟ କରାଇବାକୁ ସ୍ୱାସ୍ଥ୍ୟସେବା ନିର୍ଦେଶକ ପରାମର୍ଶ ଦେଇଛନ୍ତି ।
ଆଜି ୪୨୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୭୫ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୬୭ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୫୫୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୯୬୨ ରହିଥିବା ବେଳେ ୨ ହଜାର ୭୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୬୩କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।