ନକଲି ସିମେଣ୍ଟ କାରଖାନା ସିଲ୍, ନାମୀ ଦାମୀ ବ୍ରାଣ୍ଡ ନାଁରେ ବିକ୍ରି ହେଉଥିଲା ନକଲି ସିମେଣ୍ଟ

କଟକ, ୦୪/୦୧: (ପୂର୍ଣ୍ଣେନ୍ଦୁ ପ୍ରଧାନ) କଟକ ଜଗତପୁର ଅଞ୍ଚଳରେ ପୁଣି ଏକ ନକଲି ସିମେଣ୍ଟ କାରଖାନା ଠାବା ଜଗତପୁର ଅଞ୍ଚଳରେ ବାରମ୍ବାର ଏକାଧିକ ନକଲି ସିମେଣ୍ଟ କାରଖାନା ଚଢାଉ କରାଯାଇଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପ୍ରଶାସନ ଅକ୍ଷମ ହୋଇଛି । ସୋମବାର ଜଗତପୁର ଥାନା ପୁଲିସ ପୀରବଜାର ନିକଟସ୍ଥ ଚମ୍ପତି ଅଞ୍ଚଳରେ ଏକ ନକଲି ସିମେଣ୍ଟ କାରଖାନା ଉପରେ ଚଢାଉ କରିଛି । ଚଢାଉ ସମୟରେ ଲକ୍ଷାଧିକ ଟଙ୍କାର ନକଲି ସିମେଣ୍ଟ ବୋଝେଇ ଟ୍ରକକୁ ପୁଲିସ ଜବତ କରି କାରଖାନା ମାଲିକକୁ ଗିରଫ କରିଛି ।

ପୁଲିସ ପକ୍ଷରୁ ମିଳିଥିବା ସୁଚନା ଅନୁଯାଇ ଜଗତପୁର ଥାନା ଅନ୍ତର୍ଗତ ଚମ୍ପତି ଗ୍ରାମ ପଞ୍ଚାୟତର ଜଣେ ବ୍ୟବସାୟୀ କିଛି ବର୍ଷ ଧରି ଡାଲମିଆ ସିମେଣ୍ଟର ଡିଲରସିପ ନେଇ ବଜାରରେ ବିକ୍ରି କରୁଥିଲେ । ବିକ୍ରି ହୋଇନପାରି ରହିଯାଉଥିବା ମୁଣ୍ଡା ସିମେଣ୍ଟକୁ ପୁଣିଥରେ ଗୁଣ୍ଡ କରି ବିଭିନ୍ନ କମ୍ପାନି ପ୍ୟାକେଟରେ ଭର୍ତ୍ତିକରି ବଜାରରେ ଉଚ୍ଚା ଦାମରେ ବିକ୍ରି କରାଯାଉଥିବା ଚଢାଉ ସମୟରେ ଜଣାପଡିଥିଲା । ଲୋକମାନେ ଏହା ନିମ୍ନମାନର ନକଲି ସିମେଣ୍ଟ ବୋଲି ଜାଣି ନପାରି ଏହି ସିମେଣ୍ଟକୁ ନିର୍ମାଣ କାମରେ ବ୍ୟବହାର କରିଥାନ୍ତି । ଯାହାଦ୍ୱାରା ଖୁବ ଅଳ୍ପଦିନରେ ଏହି ନିର୍ମାଣ କାମ ନଷ୍ଟ ହୋଇ ଧନ ଜୀବନ କ୍ଷତି ହୋଇଥାଏ । ତେବେ ଏହି ଭଳି ମୁଣ୍ଡା ସିମେଣ୍ଟକୁ ଗୁଣ୍ଡ କରି ସେଗୁଡିକୁ ବିଭିନ୍ନ କମ୍ପାନୀର ପ୍ୟାକିଙ୍ଗ୍ ଜରି ଭିତରେ ଭର୍ତ୍ତି କରି ବଜାରରେ ବିକ୍ରି କରାଯାଏ ।

ଜଗତପୁର ଥାନା ପୁଲିସ ଏକ ମୁଣ୍ଡା ସିମେଣ୍ଟ ବୋଝେଇ ଟ୍ରକକୁ ତଲାସି ନେବା ବେଳେ ନକଲି ସିମେଣ୍ଟ କାରଖାନା ସମ୍ପର୍କରେ ସୁଚନା ପାଇଥିଲା । ପୁଲିସ ଟ୍ରକକୁ ଜବତ କରିବା ସହ ଏନେଇ କଟକ ଡିସିପି ପ୍ରତୀକ ସିଂକୁ ଅବଗତ କରାଇଥିଲା । ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଜୋନ-୧ ଏସିପି ଅମରେନ୍ଦ୍ର ପଣ୍ଡା, ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେର ଉକ୍ତ ନକଲି ସିମେଣ୍ଟ କାରଖାନାରେ ଚଢାଉ କରିଥିଲେ । ପୁଲିସ ଜବତ ସିମେଣ୍ଟ ଗୁଡିକର ସାମ୍ପଲକୁ ପରୀକ୍ଷା ନିମନ୍ତେ ପଠାଇ କାରଖାନାକୁ ସିଲ କରିଛି ।