ଯେଉଁ କମ୍ପାନିର କରୋନା ଟିକା, ସେହି କମ୍ପାନିର ବୁଷ୍ଟର ଡୋଜ

ନୂଆଦିଲ୍ଲୀ, ୦୬/୦୧: (ସଂକେତ୍ ଟିଭି) ଦିନକୁ ଦିନ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୁଦ୍ଧି ପାଉଥବା ବେଳେ ଏବେ ପୁଣି କରୋନାର ନୂଆ ଭାରିଆଣ୍ଟ ଆସିଥିବା ଖବର ମିଳିଲାଣି । ଏ ପରିସ୍ଥିତିରେ ଲୋକଙ୍କୁ ନୂଆ ଭାରିଆଣ୍ଟ ସହ ଲିବାରେ ସକ୍ଷମ କରିବାକୁ ଭାରତ ସରକାର ବୁଷ୍ଟର ଡୋଜ ଦେବାକୁ ଯୋଜନା ଆରମ୍ଭ କରିଛନ୍ତି । ତେବେ ପୂର୍ବରୁ ଯେଉଁ କମ୍ପାନିର କରୋନା ଟିକା ଲୋକେ ନେଇଥିବେ ସେହି କମ୍ପାନିର ବୁଷ୍ଟର ଡୋଜ ଲୋକେ ନେବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର ଭି.କେ ପଲ୍ ।

ତାଙ୍କ କହିବା ମୁତାବକ, ଯଦି କେହି ଭାରତ ବାୟୋଟେକର କୋଭାକ୍ସିନ ଟିକା ନେଇଥିବ ତେବେ ସେମାନଙ୍କୁ କୋଭାକ୍ସିନର ବୁଷ୍ଟର ଡୋଜ ନେବାକୁ ହେବା ସେହିଭଳି ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ନେଇଥିବା ଲୋକେ କେବଳ କୋଭିସିଲ୍ଡ ହିଁ ବୁଷ୍ଟର ଡୋଜ ନେଇପାରିବେ । କୋଭାକ୍ସିନ ନେଇଥିବା ଲୋକେ କୋଭିସିଲ୍ଡର ବୁଷ୍ଟର ଡୋଜ ନେଇପାରିବେ ନାହିଁ ।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୬ରେ କୋଭିଡ୍- ୧୯ “ବୁଷ୍ଟର୍ ଡୋଜ୍’ ବା “ପ୍ରିକସ୍ନାରି ଡୋଜ୍’ ଟିକାକୁ ଭାରତ ଅନୁମୋଦନ କରିଥିଲା । ଏହି ଟିକା ଜାନୁଆରି ୧୦ ତାରିଖରୁ ସ୍ୱାସ୍ଥ୍ୟସେବା ଏବଂ ଆକ୍ରାନ୍ତମାନଙ୍କ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଏବଂ ଅନ୍ୟାନ୍ୟ ରୋଗ ଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । କିନ୍ତୁ, “ବୁଷ୍ଟର୍ ଡୋଜ୍’ ଭାବେ ସୁପରିଚିତ “ପ୍ରିକସ୍ନାରି ଡୋଜ୍’ ନେବା ଉପରୋକ୍ତ ବର୍ଗର ବ୍ୟକ୍ତିବିଶେଷଙ୍କ ଇଚ୍ଛାଧୀନ । ଡାକ୍ତରଙ୍କ ସୁପାରିସକ୍ରମେ ସେମାନେ “ବୁଷ୍ଟର୍ ଡୋଜ୍’ ନେଇ ପାରିବେ ।