ଧରାପଡିଯିବା ଭୟରେ ମୋବାଇଲ ଗିଳି ଦେଲେ କଏଦୀ

ନୂଆଦିଲ୍ଲୀ, ୦୮/୦୧: (ସଂକେତ୍ ଟିଭି) ତିହାର ଜେଲର କଏଦୀ ଏକ ମୋବାଇଲ୍ ଫୋନ୍ ଗିଳି ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଜେଲ ଅଧିକାରୀ ସନ୍ଦେହ ଆଧାରରେ ଉକ୍ତ କଏଦୀର ଯାଞ୍ଚ କରୁଥିବା ବେଳେ ସେ ଧରାପଡ଼ିଯିବା ଭୟରେ ମୋବାଇଲକୁ ଗିଳି ଦେଇଥିଲେ । ଅଧିକାରୀ ଯେତେବେଳେ ଏହି ଘଟଣା ବିଷୟରେ ଜାଣି ପାରିଥିଲେ ସେ ତୁରନ୍ତ ଉକ୍ତ କଏଦୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଗତ ବୁଧବାର ଦିଲ୍ଲୀସ୍ଥିତ ତିହାର ଜେଲରେ ଏହି ଘଟଣା ଘଟିଛି । ଭାରତର ସବୁଠାରୁ କଡ଼ା ସୁରକ୍ଷିତ ବ୍ୟବସ୍ଥା ଥିବା ଜେଲ ମଧ୍ୟରେ ତିହାର ଜେଲ ବି ରହିଛି । ଏହି ଜେଲରେ କଏଦୀ ଫୋନ ଗିଳିଦେବା ଏକ ଚର୍ଚ୍ଚାର ବିଷୟ ହୋଇଛି । ଜେଲର ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ କହିଛନ୍ତି ୨୦୨୨ ଜାନୁଆରୀ ୫ ତାରିଖରେ ତିହାର ଜେଲ ନମ୍ବର ୧ ର ଜଣେ କଏଦୀ ମୋବାଇଲ ଫୋନ ଗିଳି ଦେଇଥିଲେ । ଯେତେବେଳେ ଆମର କର୍ମଚାରୀମାନେ ତାଙ୍କ ତଲାସି କରିଥିଲେ, ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା ।

ସେ କହିଛନ୍ତି ଯେ ଘଟଣା ଜଣାପଡ଼ିବା ପରେ କଏଦୀଙ୍କୁ ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ରହିଛି । ଏବେ ବି ମୋବାଇଲ୍ ଫୋନ୍ ତାଙ୍କ ପେଟରେ ଅଛି । କଏଦୀଙ୍କ ନିକଟକୁ ମୋବାଇଲ୍ ଫୋନ୍ କେଉଁଠୁ ଆସିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।