ଆସିଲା କରୋନାର ଆଉ ଏକ ନୂଆ ଭାରିଆଣ୍ଟ୍ ଡେଲଟାକ୍ରନ, ଚିନ୍ତାରେ ବିଶ୍ବବାସୀ
ନୂଆଦିଲ୍ଲୀ, ୦୯/୦୧: (ସଂକେତ୍ ଟିଭି) ଡେଲଟା ପରେ କରୋନାର ନୂଆ ନୂଆ ଭାରିଆଣ୍ଟ୍ ସାମନାକୁ ଆସିବାରେ ଲାଗିଛି । ଏହାକୁ ନେଇ ଏବେ ସାରା ବିଶ୍ବ ଚିନ୍ତାରେ। କିଛି ଦିନ ତଳେ ଓମିକ୍ରନ ପରେ ଫ୍ରାନ୍ସରୁ କରୋନାର ‘ଆଇଏଚୟୁ’ ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ଏକ ନୂତନ ଭାରିଆଣ୍ଟ୍ ଉତ୍ପନ୍ନ ହୋଇଛି । ସାଇପ୍ରସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଅଧ୍ୟୟନ ମୁତାବକ, ଓମିକ୍ରନ୍ ଓ ଡେଲଟାର ମିଶ୍ରଣରେ ହୋଇଥିବା ଏହି ଭାରିଆଣ୍ଟର ନାମ ଡେଲଟାକ୍ରନ ଦିଆଯାଇଛି।
ତେବେ ଏହି ଭାରିଆଣ୍ଟ କେତେ ମାରାତ୍ମକ ହୋଇଥିବ ତାର ଅନୁମାନ ଲଗାଯାଇପାରେ । ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା ବର୍ତ୍ତମାନ ଏହି ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ।
ସାଇପ୍ରସ୍ ବିଶ୍ୱବିଦ୍ୟାଳୟର ଜୀବ ବିଜ୍ଞାନର ପ୍ରାଧ୍ୟାପକ ଲିୟୋଣ୍ଡିୟୋସ୍ କୋଷ୍ଟ୍ରିକ୍ସ କହିଛନ୍ତି ଯେ “ଡେଲ୍ଟାକ୍ରାନ୍”ର ଓମିକ୍ରନ ଭଳି ଆନୁବଂଶିକ ଲକ୍ଷଣ ଓ ଡେଲଟା ଭଳି ଜିନୋମ୍ ରହିଛି । ରିପୋର୍ଟ ଅନୁସାରେ, ସାଇପ୍ରସ୍ ରେ ଡେଲ୍ଟାକ୍ରାନ୍ ର ଏବେଯାଏଁ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ଏହାର ପ୍ରଭାବ କେତେ ରହିବ ସେନେଇ କୌଣସି ସୂଚନା ଦିଆଯାଇନାହିଁ ।