ଲକ୍ଷଣ ନଥିଲେ ହେବନି କରୋନା ଟେଷ୍ଟ : ଆଇସିଏମ୍ଆର୍
ନୂଆଦିଲ୍ଲୀ, ୧୧/୦୧: (ସଂକେତ୍ ଟିଭି) କରୋନା ସଂକ୍ରମିତ ରୋଗୀଙ୍କ ନିକଟ ସମ୍ପର୍କୀୟଙ୍କଠାରେ ଅତି ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଦେଖା ନ ଦେଲେ ସେମାନଙ୍କର କରୋନା ଟେଷ୍ଟ କରାଯିବା ଆବଶ୍ୟକ ନାହିଁ ବୋଲି ଆଇସିଏମ୍ଆର ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।
ସେହିପରି ଲକ୍ଷଣ ନଥିବା ବ୍ୟକ୍ତି, ଗୃହ ସଙ୍ଗରୋଧ ଓ କୋଭିଡ କେୟାର ସେଣ୍ଟରରୁ ଡିସ୍ଚାର୍ଜ ହୋଇଥିବା କରୋନା ସଂକ୍ରମିତ ଏବଂ ଆନ୍ତଃରାଜ୍ୟ ଘରୋଇ ଯାତ୍ରା କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ କରାଯିବ ବୋଲି ଏହି
ଆଡଭାଇଜରିରେ ଉଲ୍ଲେଖ କରାଯାଇଛି । ତେବେ ଜ୍ୱର, ସର୍ଦ୍ଧି, ଗଳାବ୍ୟଥା, ଅଣନିଃଶ୍ୱାସୀ ଲାଗିବା ଓ ଆଘ୍ରାଣ ଶକ୍ତି ଚାଲିଯିବା ଭଳି ଲକ୍ଷଣଥିବା ବ୍ୟକ୍ତିଙ୍କର କରୋନା ଟେଷ୍ଟ କରାଯିବ ବୋଲି ନୂଆ କରି ଜାରି ହୋଇଥିବା ଆଡଭାଇଜରିରେ ଦର୍ଶାଯାଇଛି ।
ସେହିପରି ବାହାର ଦେଶରୁ ଆସୁଥିବା ଯାତ୍ରୀମାନେ ଦେଶର ଯେକୌଣସି ବିମାନବନ୍ଦର ଓ ବନ୍ଦରଗୁଡ଼ିକରେ ପହଞ୍ଚିବା ପରେ ସେମାନଙ୍କର ଟେଷ୍ଟ କରାଯିବ । ଜରୁରିକାଳୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚିକିତ୍ସା ଆଳ ଦେଖାଇ ଅପରେସନ କିମ୍ବା ପ୍ରସବ ଭଳି ଜରୁରିକାଳୀନ ସ୍ଥିତିରେ କରୋନା ଟେଷ୍ଟକୁ ବାଧ୍ୟତାମୂଳକ କରାଯିବ ନାହିଁ । କୌଣସି ହସ୍ପିଟାଲରେ ଟେଷ୍ଟିଂ ସୁବିଧା ନଥିଲେ ସେହି ଆଳରେ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀକୁ ସ୍ଥାନାନ୍ତର କରିପାରିବେ ନାହିଁ । ଲକ୍ଷଣ ନଥିବା ରୋଗୀ, ଗର୍ଭବତୀ ମହିଳାଙ୍କଠାରେ ଲକ୍ଷଣ ଦେଖା ନଯିବା ପର୍ଯ୍ୟନ୍ତ ଟେଷ୍ଟ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ବାଧ୍ୟ କରାଇ ପାରିବେ ନାହିଁ ବୋଲି ଏହି ନୂଆ ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଛି ।
ସେହିପରି ଜେନମ୍ ସିକ୍ୱେନ୍ସିଂ କେବଳ ଚିହ୍ନଟ ପ୍ରକ୍ରିୟା ପାଇଁ ବ୍ୟବହାର କରାଯାଉଥିବାରୁ ଏହାକୁ ଚିକିତ୍ସା ପ୍ରକ୍ରିୟା ଅନ୍ତର୍ଭୁକ୍ତ କରାଯିବ ନାହିଁ ବୋଲି ଏହି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ।