ୟୁପିରେ ବିଜେପିକୁ ଝଟକା, ଇସ୍ତଫା ଦେଇ ସପା ହାତ ଧରିଲେ ବିଜେପିର କ୍ଯାବିନେଟ ମନ୍ତ୍ରୀ

ଲକ୍ଷ୍ନୌ, ୧୧/୦୧: (ସଂକେତ୍ ଟିଭି) ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଏକ ଝଟକା ଲାଗିଛି । ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଆନନ୍ଦବିନ୍ ପଟେଲଙ୍କୁ ପଠାଇଛନ୍ତି । କେବଳ ଏତିକି ନୁହେଁ ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ତେବେ ମୌର୍ଯ୍ୟଙ୍କ ବ୍ୟତୀତ ଆହୁରି ଅନେକ ନେତା ଏବଂ ବିଧାୟକ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ମୌର୍ଯ୍ଯ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ସେ ଏସପି ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ ବିଏସପି ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ ଏବଂ ପରେ ମାୟାବତୀଙ୍କୁ ଛାଡି ଏସପିରେ ଯୋଗ ଦେଇଥିଲେ।

ତେବେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ନିଜେ ଟ୍ୱିଟ୍ କରି ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏସପିରେ ଯୋଗଦେବା ବିଷୟରେ ସୂଚନା ଦେଇଛନ୍ତି। ଅଖିଳେଶ ଯାଦବ ଲେଖିଛନ୍ତି, ‘ସାମାଜିକ ନ୍ୟାୟ ଏବଂ ସମାନତା ପାଇଁ ସଂଗ୍ରାମ କରିଥିବା ଲୋକପ୍ରିୟ ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଜୀ ଏବଂ ତାଙ୍କ ସହ ଆସିଥିବା ଅନ୍ୟ ସମସ୍ତ ନେତା, କର୍ମୀ ଏବଂ ସମର୍ଥକଙ୍କୁ ଏସପିକୁ ହାର୍ଦ୍ଦିକ ସ୍ୱାଗତ ଏବଂ ଶୁଭେଚ୍ଛା।’

ରାଜ୍ୟପାଳ ଆନନ୍ଦବିନ୍ ପଟେଲଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଲେଖିଛନ୍ତି କି ’ଶ୍ରମ, ନିଯୁକ୍ତ ମନ୍ତ୍ରୀ ଏବଂ ସମନ୍ୱୟ ମନ୍ତ୍ରୀ ଭାବରେ ସମସ୍ତ ବିପରୀତ ପରିସ୍ଥିତିରେ ମୁଁ ଆଦର୍ଶ ବିଚାରଧାରାରେ ରହିବା ସତ୍ତ୍ୱେ ମୁଁ ଅତ୍ୟଧିକ ଉତ୍ସର୍ଗୀକୃତ ଭାବରେ ଦାୟିତ୍ୱ ତୁଲାଇଥିଲି । କିନ୍ତୁ ଦଳିତ, ପଛୁଆ, କୃଷକ, ବେକାର ସମସ୍ୟା ଏବଂ କ୍ଷୁଦ୍ର-ମଧ୍ୟମ ବର୍ଗଙ୍କୁ ଅବହେଳା ହେତୁ ମୁଁ ଉତ୍ତରପ୍ରଦେଶ କ୍ୟାବିନେଟରୁ ଇସ୍ତଫା ଦେଇଛି ।

ତେବେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପିରୁ ଇସ୍ତଫା ଦେବା ପରେ ଏହା ବିଜେପିକୁ ବଡ଼ ଝଟକା ଲାଗିଛି । ଗତ ନିର୍ବାଚନରେ ବିଜେପି ସରକାରକୁ ଆସିବାର ମୁଖ୍ୟ କାରଣ ପଛୁଆ ବର୍ଗ । ସେଥିପାଇଁ ଚଳିତ ନିର୍ବାଚନରେ ଅଖିଳେଶ ଯାଦବ ପଛୁଆ ବର୍ଗଙ୍କୁ ତାଙ୍କ ସପକ୍ଷରେ ନେବା ପାଇଁ ଚେଷ୍ଟା କରୁଛନ୍ତି ।