ୟୁପି ବିଜେପିରେ ସଂକଟ, ଦଳ ଛାଡୁଛନ୍ତି ମନ୍ତ୍ରୀ, ବିଧାୟକ

ମୁମ୍ବାଇ ୧୨।୦୧ :(ସଂକେତ୍ ଟିଭି) ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ବିଜେପିକୁ ଏକ ଶକ୍ତ ଧକ୍କା ଲାଗିଛି । ବିଜେପିର ୪ ବରିଷ୍ଠ ନେତା ଓ ବିଧାୟକ ଦଳଛାଡ଼ି ସମାଜବାଦୀପାର୍ଟିରେ ଯୋଗ ଦେଇଛନ୍ତି ।

ସେମାନଙ୍କ ମଧ୍ୟରେ ରହିଛନ୍ତି ଉତ୍ତରପ୍ରଦେଶର ଶ୍ରମମନ୍ତ୍ରୀ ସ୍ୱାମୀ ପ୍ରସାଦ ର୍ମୈଯ୍ୟ, ଶାହାଜାହନପୁର ବିଧାୟକ ରୋଶନ ଲାଲ ବର୍ମା, ବନ୍ଦା ବିଧାୟକ ବ୍ରିଜେଶ ପ୍ରଜାପତି, କାନପୁର ବିଧାୟକ ଭଗବତୀ ସାଗର । ଏହା ପୂର୍ବରୁ ବିଧାୟକ ମାଧୁରୀ ବର୍ମା, ରାଧାକୃଷ୍ଣ ଶର୍ମା ଓ ଦିଗବିଜୟ ନାରାୟଣ ଚୌବେ ମଧ୍ୟ ଦଳଛାଡ଼ି ସମାଜପାଦୀ ପାର୍ଟିରେ ମିଶିଥିଲେ ।

ଦଳଛାଡ଼ିବା ପରେ ସ୍ୱାମୀ ପ୍ରସାଦ ର୍ମୈଯ୍ୟ କହିଛନ୍ତି ଯେ ବିଜେପିରେ ପଛୁଆବର୍ଗ, ଦଳିତ, କୃଷକ, ବେରୋଜଗାର, ସଂଖ୍ୟାଲଘୁଙ୍କୁ ଅଣଦେଖା କରୁଛନ୍ତି । ବିଜେପି ବିଧାୟକମାନେ ଏପରିଭାବେ ଦଳ ଛାଡ଼ୁଥିବାରୁ ସମାଜବାଦୀପାର୍ଟି ପକ୍ଷରୁ ବିଜେପିକୁ କଟାକ୍ଷ କରାଯାଇଛି ।

ସେପଟେ ଆଜି ଆଉ ଜଣେ କ୍ୟାବିନେଟ୍ ମନ୍ତ୍ରୀ ପଦ ଛାଡ଼ିଛନ୍ତି । ସେ ହେଉଛନ୍ତି ଦାରା ସିଂ ଚୌହାନ । ସେ ଯୋଗୀ କ୍ୟାବିନେଟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିଲେ ।

ସେ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି । ନିଜ ଇସ୍ତଫାପତ୍ରରେ ସେ କହିଛନ୍ତି ଯେ ବିଜେପିରେ ପଛୁଆବର୍ଗ, ଦଳିତ, କୃଷକ, ବେରୋଜଗାର, ସଂଖ୍ୟାଲଘୁଙ୍କୁ ଅଣଦେଖା କରୁଛନ୍ତି ।  ଏହା ସହିତ ସରକାର ପଛୁଆବର୍ଗଙ୍କ ସଂରକ୍ଷଣକୁ ନେଇ ଟଳଟୁଳ ନୀତି ଗ୍ରହଣ କରୁଛନ୍ତି । ଏଥିରେ ଦୁଃଖିତ ହୋଇ ସେ ଇସ୍ତଫା ଦେଉଛନ୍ତି ।

ଦଳର ମୁଖପାତ୍ର ଆଇପି ସିଂ ଲକ୍ଷ୍ନୌସ୍ଥିତ ବିଜେପି ଅଫିସକୁ ଏକ ତାଲା ଉପହାର ଆକାରରେ ପଠାଇଛନ୍ତି । ମାର୍ଚ୍ଚ ୧୦ ତାରିଖ ପରେ ଏହି ତାଲାର ବ୍ୟବହାର କରିବାକୁ ସେ ବିଜେପିକୁ କହିଛନ୍ତି । ବିଜେପି ନେତା ସ୍ୱତନ୍ତ୍ର ଦେବଙ୍କ ନାଁରେ ଏହି ତାଲା କୋରିୟରରେ ପଠାଯାଇଛି ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ଆସନ୍ତା ଫେବ୍ରୁଆରି ୧୦ରୁ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ହେବ । ରାଜ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦିତା ବିଜେପି ଓ ସପା ମଧ୍ୟରେ ହେଉଛି । ଅନ୍ୟପକ୍ଷରେ ଏହି ନିର୍ବାଚନରେ ସପା ସହିତ ମିଶି ଲଢିବାକୁ ଏନସିପି ଘୋଷଣା କରିଛି ।