ରୋକି ପାରିବନି ବୁଷ୍ଟର ଡୋଜ୍, ଓମିକ୍ରୋନ ସଂକ୍ରମିତ ହେବେ ସବୁ ଭାରତୀୟ
ନୂଆଦିଲ୍ଲୀ ୧୨।୦୧ :(ସଂକେତ୍ ଟିଭି) କରୋନାର ନୂଆ ଭାରିଏଣ୍ଟ ଓମିକ୍ରୋନ ଯୋଗୁ ଦେଶରେ ସଂକ୍ରମଣ ହାର ଢେର ପରିମାଣରେ ବୃଦ୍ଧି ପାଇଛି । ଏହା ଆଗକୁ ବଢିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏହି ନୂଆ ଭାରିଏଣ୍ଟ ସମସ୍ତ ଭାରତୀୟଙ୍କୁ ଆକ୍ରାନ୍ତ କରିବ ।
କରୋନା ଟିକାର ବୁଷ୍ଟର ଡୋଜ୍ (ପ୍ରିକସନ ଡୋଜ୍) ସଂକ୍ରମଣକୁ ରୋକିପାରିବ ନାହିଁ ବୋଲି ବରିଷ୍ଠ ବିଶେଷଜ୍ଞ ତଥା ଆଇଜିଏମ୍ଆରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜିର ଅଧ୍ୟକ୍ଷ ଡାକ୍ତର ଜୟପ୍ରକାଶ ମୁଲିୟିଲ କହିଛନ୍ତି ।
ଓମିକ୍ରୋନ ଷ୍ଟ୍ରେନ୍ ନୂଆ ହୋଇଥିବାରୁ ବହୁ କମ୍ ଲକ୍ଷଣ ଦେଖା ଯାଉଥିବାବେଳେ କରୋନା ଆଉ ମାରାତ୍ମକ ରୋଗ ହୋଇନାହିଁ । ତେଣୁ ହସ୍ପିଟାଲରେ ବେଶି ସଂଖ୍ୟକ ସଂକ୍ରମିତ ଭର୍ତ୍ତି ହେଉନାହାନ୍ତି । ଓମିକ୍ରୋନ ଭାରିଏଣ୍ଟ ସହ ମାନବସମାଜକୁ ଲଢେଇ କରିବା ସହଜ ବୋଲି ଡାକ୍ତର ଜୟପ୍ରକାଶ ମୁଲିୟିଲ ସୂଚନା ଦେଇଛନ୍ତି ।
ସଂକ୍ରମିତ ହୋଇଥିବା ସତ୍ତ୍ୱେ ଅଧିକାଂଶ ଲୋକ ଏହାକୁ ଜାଣିପାରୁ ନଥିବା ସେ ସୂଚନା ଦେଇଛନ୍ତି । ମହାମାରୀର ପ୍ରାକୃତିକ ଗତିକୁ କୌଣସି ବୁଷ୍ଟର ଡୋଜ୍ କେବେହେଲେ ଅଟକାଇ ପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଭାଇରସ ସଂକ୍ରମିତ ହାର ଦୁଇଦିନରେ ଦୁଇଗୁଣ ବୃଦ୍ଧି ପାଉଛି । ଟେଷ୍ଟ ଦ୍ୱାରା ଭାଇରସ ଚିହ୍ନଟ ହେବା ପୂର୍ବରୁ ଅନ୍ୟମାନେ ସଂକ୍ରମିତ ହେଉଛନ୍ତି । ତେଣୁ ଟେଷ୍ଟ କରିବା ପରେ ମଧ୍ୟ ଭାଇରସଠାରୁ ଆମେ ବହୁ ପଛରେ ରହୁଥିବା ସେ ପ୍ରକାଶ କରିଛନ୍ତି । ତେଣୁ ଏପରି ମହାମାରୀ ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଲକ୍ଡାଉନ ସଂପର୍କରେ ମତ ଦେଇ ଡାକ୍ତର ଜୟପ୍ରକାଶ କହିଛନ୍ତି ଯେ ଦୀର୍ଘଦିନ ଧରି ତାଲାବନ୍ଦ ସମ୍ଭବ ନୁହେଁ । ଡେଲଟା ତୁଳନାରେ ଓମିକ୍ରୋନ ଅତ୍ୟନ୍ତ ଦୁର୍ବଳ ହୋଇଥିବାରୁ ଏହା ବିଶେଷ କ୍ଷତି ପହଞ୍ଚାଇବ ନାହିଁ । କାରଣ ଭାରତରେ ଟିକା ଲଞ୍ଚ ହେବା ପୂର୍ବରୁ ପ୍ରାୟ ୮୫ ପ୍ରତିଶତ ଭାରତୀୟ କରୋନାରେ ସଂକ୍ରମିତ ହୋଇ ସାରିଥିଲେ । ତେବେ ଦେଶରେ ଏମିତି ଲୋକ ଅଛନ୍ତି, ଯେଉଁମାନେ ଦୁଇଟି ଡୋଜ୍ ନେଲେ ମଧ୍ୟ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଉନାହିଁ ।
ବିଶେଷକରି ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଏହି ସ୍ଥିତି ଦେଖାଯାଉଛି । ଏହାର ଅର୍ଥ ଭାରତରେ ପ୍ରଥମ ଡୋଜ୍ ହିଁ ବୁଷ୍ଟର ଡୋଜ୍ ବୋଲି ଧରିବାକୁ ହେବ । କାରଣ ଅଜାଣତରେ ସଂକ୍ରମିତ ହୋଇ ଲୋକଙ୍କ ଶରୀରରେ ପୂର୍ବରୁ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ସାରିଥିଲା ବୋଲି ଡାକ୍ତର ଜୟପ୍ରକାଶ କରିଛନ୍ତି । ତେଣୁ ବୁଷ୍ଟର ଡୋଜ ସତ୍ତ୍ୱେ ସବୁ ଭାରତୀୟ ଓମିକ୍ରୋନ ପଞ୍ଝାରେ ପଡିବେ ବୋଲି ଏହି ବରିଷ୍ଠ ବିଶେଷଜ୍ଞ ମତ ରଖିଛନ୍ତି ।