ବିନା ମାସ୍କରେ ରେଳ ଷ୍ଟେସନ୍‌ ପ୍ରବେଶ ମନା

ନୂଆଦିଲ୍ଲୀ ୧୨।୦୧ :(ସଂକେତ୍ ଟିଭି) : ଏଣିକି ବିନା ମାସ୍କରେ ରେଳ ଷ୍ଟେସନରେ ପ୍ରବେଶ ନିଷେଧ । ଯଦି କେଣସି ଯାତ୍ରୀ ବିନା ମାସ୍କରେ ପ୍ରବେଶ କରିଥିବେ, ତାଙ୍କୁ ତାଗିଦ୍‌ କରାଯିବ । ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ବି ହେବ । ଦେଶରେ ବୁଥିବା କୋଭିଡ୍‌ ସଂକ୍ରମଣର ମୁକାବିଲା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରସ୍ତୁତି ଆରମ୍ଭ ହୋଇଛି ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ଦେଶର ସମସ୍ତ ରେଳପଥ ଜୋନ୍‌/ ମଣ୍ଡଳର କୋଭିଡ୍‌ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ରେଳପଥର ଡାକ୍ତରଖାନା ତଥା ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ବିଭିନ୍ନ ଜୋନ୍‌ ଓ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ରେଳ ହସ୍ପିଟାଲର ଭିତ୍ତିଭୂମି, ପେଡିଆଟ୍ରିକ୍‌ ୱାର୍ଡ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ ଦିଆଯାଇଛି ।

ଟିକାକରଣ-ରେଳବାଇର ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ବୁଷ୍ଟର୍‌ ଡୋଜ୍‌ ଯୋଗାଇବା ସହ ରେଳପଥର ଶିଶୁ ଓ କର୍ମଚାରୀଙ୍କ ଟିକାକରଣ ଉପରେ ପ୍ରାଥମିକତା ଦେବାକୁ କୁହାଯାଇଛି । ଔଷଧର ଉପଲବ୍ଧତା, ଅମ୍ଳଜାନ ଯୋଗାଣ, ଜିଓଲାଇଟ୍‌ ଷ୍ଟକ୍‌ ଓ ଅନ୍ୟାନ୍ୟ ଆବଶ୍ୟକ ଚିକିତ୍ସା ସହାୟତା, ଭେଣ୍ଟିଲେଟର୍‌ କାର୍ଯ୍ୟ, ତରଳ ମେଡିକାଲ୍‌ ଅମ୍ଳଜାନ ଟ୍ୟାଙ୍କ, କୋଭିଡ୍‌ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଅନ୍ୟାନ୍ୟ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଅମ୍ଳଜାନ ଉତ୍ପାଦନ କେନ୍ଦ୍ରଗୁଡ଼ିକର ଉପଲବ୍ଧ କରାଇବାକୁ ପରାମର୍ଶ ଦିଆଯାଇଛି । ମୋଟ ଅନୁମୋଦିତ ଅମ୍ଳଜାନ କେନ୍ଦ୍ର ମଧ୍ୟରୁ ୭୮ଟି କାର୍ଯ୍ୟକ୍ଷମ ହୋଇଛି । ବାକି ରହିଥିବା ୧୭ଟି କେନ୍ଦ୍ର ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ । ସେଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।

ସାମ୍ପ୍ରତିକ ପରିସ୍ଥିତିରେ ରେଳ ଷ୍ଟେସନ୍‌ରେ ଜରୁରୀକାଳୀନ କିମ୍ବା ହଠାତ ଯାତ୍ରୀ/ପ୍ରବାସୀଙ୍କ ସଂଖ୍ୟାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ସ୍ୱତନ୍ତ୍ର ଷ୍ଟେସନଗୁଡ଼ିକର ଚାଲିବା ଉପରେ ସମୀକ୍ଷା କରାଯାଇଛି । ସମୀକ୍ଷା ବେଠକରେ ରେଳବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି.କେ ତ୍ରିପାଠୀ, ବୋର୍ଡ ସଦସ୍ୟ ତଥା ରେଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ଜୋନାଲ ରେଳବାଇ ମହାପ୍ରବନ୍ଧକ, ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ବିଭିନ୍ନ ସଂସ୍ଥା, କାରଖାନାଗୁଡ଼ିକର ଅଧିକାରୀ ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇଥିଲେ ।