କବି ବ୍ରଜନାଥ ରଥଙ୍କ ଜୟନ୍ତୀ

ବାଲେଶ୍ବର ୧୩।୧: (ସଂକେତ ଟିଭି) କବି ବ୍ରଜନାଥ ରଥଙ୍କ ସୁନହଟ ସ୍ଥିତ ବାସଭବନ ପରିସରରେ କବି ବ୍ରଜନାଥ ରଥଙ୍କ ୮୭ତମ ଜୟନ୍ତୀ ,ବିଶ୍ୱତାରା ଓଡ଼ିଆ ଗବେଷଣା ଗ୍ରନ୍ଥାଗାରର ପଂଚଦଶ ପ୍ରତିଷ୍ଠା ଦିବସ ଓ ବନ୍ଧୁ ମିଳନ କବି ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପାଳିତ ହୋଇଯାଇଛି।

ମୁଖ୍ୟ ଅତିଥି ଭାବରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼.ସନ୍ତୋଷ କୁମାର ତ୍ରୀପାଠୀ, ସମ୍ମାନିତ ଅତିଥି ଭାବରେ କେନ୍ଦ୍ରସାହିତ୍ୟ ଏକାଡ଼େମୀର ଆବାହକ ଡ଼.ବିଜୟାନନ୍ଦ ସିଂ କବି ରଥଙ୍କର ସ୍ମୃତି ଚାରଣ କରିଥିଲେ। ଉତ୍ସବରେ ଟ୍ରଷ୍ଟର ଉପଦେଷ୍ଟା ଆଦିବାସୀ ଲୋକସାହିତ୍ୟ ଓ ପ୍ରଗତିଶୀଳ ସାହିତ୍ୟର ବିଶିଷ୍ଟ ସ୍ରଷ୍ଟା ବିଜୟ ଉପାଧ୍ୟାୟ ସଭାପତିତ୍ୱ କରି କବି ବ୍ରଜନାଥ ରଥ କେମିତି ଦଳିତ ନିଷ୍ପେସିତ କୋଟି ମଣିଷର ସ୍ୱର ଥିଲେ ବୋଲି କହିଥିଲେ।

ପ୍ରାକ୍‌ସୂଚନା କବି କାଳିପଦ ପଣ୍ଡା ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ କବି କାଳିକିଂକର ଦାସ। ଶେଷରେ କବିଙ୍କର ସାନପୁଅ ବ୍ରହ୍ମ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପୂର୍ବ ବର୍ଷଭଳି ଚଳିତବର୍ଷ ବ୍ରଜନାଥ ରଥ ସାରସତ୍ୱ ସମ୍ମାନ -୨୦୨୨ ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଂଜନଙ୍କୁ ପ୍ରଦାନ କରାଯାଇଥିବା ବେଳେ ବ୍ରଜନାଥ ରଥ ସ୍ମୃତି ସମ୍ମାନ -୨୦୨୨ ପ୍ରଦାନ କରାଯାଇଥିଲା ବିଶିଷ୍ଟ ଗବେଷକ ଓ ଲେଖକ ବିଜୟାନନ୍ଦ ସିଂଙ୍କୁ । ଉଭୟଙ୍କୁ ନଗଦ ଅର୍ଥରାଶି ୨୫ହଜାର ଓ ୫ହଜାର ସମେତ ପ୍ରଶସ୍ତିଫଳକ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ କବି ବ୍ରଜନାଥ ରଥଙ୍କ ପୁସ୍ତକ ଗୁଡ଼ିକୁ ହିନ୍ଦୀରେ ଅନୁବାଦ କରିଥିବା ଅଧ୍ୟାପକ ଡ଼. ବିଜୟ ମହାନ୍ତିଙ୍କୁ ବ୍ରଜନାଥ ରଥ ସମ୍ବର୍ଦ୍ଧନା ୨୦୨୨ ପ୍ରଦାନ କରାଯାଇଥିଲା।

ଅତିଥିମାନେ ପ୍ରାରମ୍ଭରେ କାଳିକିଂକର ଦାସଙ୍କର ଗଳ୍ପ ସଂକଳନ ପ୍ରେମିକା ଓ ପ୍ରୀୟତମା,ଶରତଚନ୍ଦ୍ର ମିଶ୍ରଙ୍କର ଆତ୍ମଜୀବନୀ ଅପରାହ୍ନର ମୁହଁ, ସିନ୍ଧୁସେନଙ୍କର ପୌରାଣିକ ଉପନ୍ୟାସ ଦୂରନ୍ତ ଶିଖା ତଥା କବି ବ୍ରଜନାଥ ରଥଙ୍କର କାଳଜୟୀ କବିତା ସଂକଳନ ସାମାନ୍ୟ ଅସାମାନ୍ୟର ଡ଼.ବିଜୟ କୁମାର ମହାନ୍ତି ଅନୁବାଦ ପୁସ୍ତକକୁ ଉନ୍ମୋଚନ କରିଥିଲେ ।

କୋଭିଡ଼ କଟକଣା ଅନୁଯାଇ ସମସ୍ତ କାର୍ଯ୍ୟ କରାଯାଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା କରିଥିଲେ ଟ୍ରଷ୍ଟର ଟ୍ରଷ୍ଟି ବ୍ୟୋମନାଥ ରଥ,ବ୍ରହ୍ମ ରଥ,ବିଧୁନାଥ ରଥ, ଡ଼ା.ମୃତ୍ୟୁଞ୍ଜୟ ମିଶ୍ର ,ପରମାନନ୍ଦ ପଣ୍ଡା, ରାଧାନାଥ ରଥ ଓ ଓଜସ୍ୱନୀ ମିଶ୍ର ପ୍ରମୁଖ। କାର୍ଯ୍ୟକ୍ରମର ପ୍ରାରମ୍ଭରେ କବି ବ୍ରଜନାଥ ରଥଙ୍କ ନିର୍ବାଚିତ କବିତାକୁ ବିଭିନ୍ନ କବିମାନେ ପାଠ କରିଥିଲେ।