ୟୁପିରେ ବିଜେପିକୁ ଝଟକା ପରେ ଝଟକା,ପୁଣି ଇସ୍ତଫା ଦେଲେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୩ ବିଧାୟକ

ଲକ୍ଷ୍ନୌ ୧୩/୦୧ : (ସଂକେତ୍ ଟିଭି) ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ସରକାରର ଗୋଟିଏ ପରେ ଗୋଟିଏ ବିଧାୟକ ଏବଂ ମନ୍ତ୍ରୀ ଦଳ ଛାଡି ସମାଜବାଦୀ ପାର୍ଟିରେ ଯୋଗଦେଉଛନ୍ତି । ଆଜି ଯୋଗୀ କ୍ୟାବିନେଟରେ ମନ୍ତ୍ରୀ ଥିବା ଧରମ ସିଂ ସାଇନି ବିଜେପିରୁ ଇସ୍ତଫା ଦେଇଛନ୍ତି । ଧରମ ସିଂ ସାଇନି ରାଜ୍ୟ ଖାଦ୍ୟ (ସ୍ବାଧୀନ), ଆୟୁଷ ଏବଂ ଡ୍ରଗ୍ସ ପ୍ରଶାସନ ମନ୍ତ୍ରୀ ଭାବେ ଦାୟିତ୍ବରେ ଥିଲେ । ତାଙ୍କ ସହିତ ବିଧୁନା ବିଧାୟକ ବିନୟ ଶାକ୍ୟ, ଶିକୋହାବାଦ ବିଧାୟନ ମୁକେଶ ବର୍ମା ଏବଂ ଲଖୀମପୁର ଖିରୀ ବିଧାୟକ ବାଲା ପ୍ରସାଦ ଅବସ୍ତୀ ଗୁରୁବାର ଇସ୍ତଫା ଦେଇଛନ୍ତି ।

ନିକଟ ଅତୀତରେ କ୍ୟାବିନେଟ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଓ ଦାରା ସିଂ ଚୌହାନ ମଧ୍ୟ ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଇଥିବା ବେଳ ଏହି ତାଲିକାର ତୃତୀୟ ସ୍ଥାନକୁ ଆସିଛନ୍ତି ଧରମ ସିଂ ସାଇନି । ତେବେ ଇସ୍ତଫା ପରେ ସେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି । ଅଖିଳେଶ ମଧ୍ୟ ତାଙ୍କୁ ଦଳକୁ ସ୍ବାଗତ କରିଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ।

ୟୁପି ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ପ୍ରମୁଖ ପ୍ରତିଦ୍ବନ୍ଦି ଭାବେ ଉଭା ହୋଇଥିବା ବେଳେ ବିଜେପିର ଏକ ବଡ ଗୋଷ୍ଠୀ ସପାରେ ମିଶିବା ନେଇ ଚର୍ଚ୍ଚା ହେଉଛି । ନିର୍ବାଚନକୁ ଏକ ମାସରୁ କମ ଥିବା ସମୟ ଥିବାବେଳେ ନିକଟରେ ଶାସକ ବିଜେପିରୁ ୩ ମନ୍ତ୍ରୀଙ୍କ ସମତେ ମୋଟ ୯ ଜଣ ବିଧାୟକ ଇସ୍ତଫା ଦେଇ ସାରିଲେଣି । ତେବେ ଏହି ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଅନୁମାନ କରୁଛନ୍ତି ।

ବିଜେପିରେ ଜାରିରହିଥିବା ଘମାସନ ମଧ୍ୟରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଟ୍ବିଟ୍‌ କରି କହିଛନ୍ତି, ‘ନାଗ ରୂପୀ ଆର୍‌ଏସ୍‌ଏସ୍‌ ଏବଂ ସାପ ରୂପୀ ବିଜେପିକୁ ସ୍ବାମୀ ରୂପୀ ନେଉଳ ଶେଷ କରିକି ହିଁ ଦମ୍‌ ନେବ ।’

ବିଧାୟକ ବିନୟ ଶାକ୍ୟ ଇସ୍ତଫା ଦେବାପରେ କହିଛନ୍ତି, ବିଜେପିରେ ନା କୌଣସି କାମ ହେଉଛି ନା କିଛି ସମ୍ମାନ ମିଳୁଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାକୁ ଚିଠି ଲେଖି ଶାକ୍ୟ କହିଛନ୍ତି, ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଦଳିତ, ପଛୁଆ ବର୍ଗ ଏବଂ ଅଳ୍ପ ସଂଖ୍ୟକଙ୍କ ପାଇଁ କିଛି କାମ କରିବା ପାଇଁ ସୁଯୋଗ ଦିଆଗଲା ନାହିଁ । ବେରୋଜଗାରୀ ଏବଂ ଚାଷୀ ସମସ୍ୟା ରାଜ୍ୟରେ ପ୍ରମୁଖ ମୁଦ୍ଦା ହୋଇଥିବା ବେଳେ ସେଥିପ୍ରତି ଧ୍ୟାନ ଦିଆଯାଉନାହିଁ ।

ଅନ୍ୟପକ୍ଷରେ ଇସ୍ତଫା‌ ଦେବା ପରେ ବିଧାୟକ ମୁକେଶ ବର୍ମା କହିଛନ୍ତି ଯେ, ଆମ ସହିତ ୧୦୦ଜଣ ବିଧାୟକ ଅଛନ୍ତି। ଆଗକୁ ବିଜେପିକୁ ପ୍ରତିଦିନ ଝଟକା ମିଳିବ। ବିଜେପିରେ ଦଳିତ ତଥା ପଛୁଆ ବର୍ଗଙ୍କୁ ସମ୍ମାନ ନାହିଁ। ପଛୁଆ ବର୍ଗଙ୍କୁ ଟାର୍ଗେଟ କରି ଚାକିରି ଦିଆଯାଉ ନାହିଁ ବୋଲି ସେ ଦାବି କରିଛନ୍ତି।