ପୂର୍ବତନ କୋଚ୍ ରବି ଶାସ୍ତ୍ରୀଙ୍କ ଉପରେ ବିସିସିଆଇ ଖପ୍ପା

ନୂଆଦିଲ୍ଲୀ ୧୩।୧: (ସଂକେତ ଟିଭି) ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଢେର କିଛି ଦିନ ତଳୁ ଶେଷ ହୋଇଗଲାଣି । ଶାସ୍ତ୍ରୀ କିନ୍ତୁ ଟିମ୍‌ ଇଣ୍ଡିଆର ଗୁମର ପଦାରେ ପକାଇ ଖବରରେ ରହି ଆସୁଛନ୍ତି । ଯାହା କେବଳ ବିସିସିଆଇ ନୁହେଁ, ଅନେକ ପୂର୍ବତନ କ୍ରିକେଟଙ୍କୁ ମଧ୍ୟ କ୍ଷୁବ୍ଧ କରିଛି ।

ପ୍ରଶିକ୍ଷକ ପଦ ଚାଲିଯିବା ପରେ ଶାସ୍ତ୍ରୀ ବିଭିନ୍ନ ବିବାଦୀୟ କଥା କହି ନିଜ ହତାଶାକୁ ପ୍ରକାଶ କରୁଛନ୍ତି ବୋଲି କେତେକ ପୂର୍ବତନ କ୍ରିକେଟର୍‌ ତାଙ୍କୁ କଟାକ୍ଷ କରିଛନ୍ତି । ଅନ୍ୟପକ୍ଷରେ ତାଙ୍କ ବିବାଦୀୟ ମନ୍ତବ୍ୟ ଉପରେ କିଭଳି ଅଙ୍କୁଶ ଲଗାଇବ ସେ ବାଟ ବିସିସିଆଇ ଖୋଜୁଛି । ଶାସ୍ତ୍ରୀ କିନ୍ତୁ ତାଙ୍କ ମୁହଁ ବନ୍ଦ ରଖିବେ ନାହିଁ ବୋଲି ସଙ୍କେତ ଦେଇଛନ୍ତି ।

ନିକଟରେ ଦେଇଥିବା ସାକ୍ଷାତକାରରେ ଶାସ୍ତ୍ରୀ ଦାବି କରିଛନ୍ତି ଯେ, ୨୦୧୭ ମସିହାର ଶ୍ରୀଲଙ୍କା ଗସ୍ତରେ ଅଧିନାୟକ ବିରାଟ କୋହଲି ଭାରତର ଚୂଡ଼ାନ୍ତ ଏକାଦଶରେ ଶିଖର ଧାୱନଙ୍କୁ ନେବାକୁ ଚାହୁ ନଥିଲେ । ହେଲେ ମୋ ପରାମର୍ଶରେ ଧାୱନଙ୍କୁ ଦଳରେ ରଖିଥିଲେ ଏବଂ ସେ ଶୃଙ୍ଖଳାରେ ସର୍ବାଧିକ ୩୩୮ ରନ୍‌ କରିଥିଲେ ।

ଏହା ପୂର୍ବରୁ ଭାରତୀୟ ଦଳର ୨୦୧୯ ବିଶ୍ୱକପ୍‌ ଦଳରେ ତିନି ଜଣ ୱିକେଟ୍‌ ରକ୍ଷକ (ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତ୍ତିକ ଓ ଋଷଭ ପନ୍ତ)ଙ୍କୁ ଦଳରେ ରଖିବା ସପକ୍ଷରେ ସେ ନଥିଲେ । ବରଂ ଶ୍ରେୟସ୍‌ ଆୟର କିମ୍ବା ଅମ୍ବାତି ରାୟୁଡୁଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ୱକପ୍‌ ଦଳରେ ରଖିବାକୁ ଚାହୁଥିଲେ ବୋଲି ଶାସ୍ତ୍ରୀ କହିଥିଲେ । ଏହା କହି ସେ ତତ୍କାଳୀନ ଚୟନ ସମିତିକୁ କାଠଗଡ଼ାକୁ ଟାଣିଥିଲେ ।

ତା ପୂର୍ବରୁ ୨୦୧୬ ମସିହାରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ କରାନଯିବା ନେଇ ଶାସ୍ତ୍ରୀ ବିସିସିଆଇକୁ ଖୋଲା ସମାଲୋଚନା କରିଥିଲେ । ଶାସ୍ତ୍ରୀ ଓ ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସେରଭ ଗାଙ୍ଗୁଲିଙ୍କ ତିକ୍ତ ସଂପର୍କ ବିଷୟ ମଧ୍ୟ ସମସ୍ତଙ୍କୁ ଜଣା । ଏଭଳି ଭାବେ ଶାସ୍ତ୍ରୀ ପ୍ରତିଦିନ ନିଜ କାର୍ଯ୍ୟକାଳକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ବିସିସିଆଇର ନିଦ ହଜାଇ ଦେଇଛି ।