ଡେଲଟା, ଓମିକ୍ରନକୁ ମାତ୍‌ ଦେବ କୋଭାକ୍ସିନ୍‌ ବୁଷ୍ଟର

ନୂଆଦିଲ୍ଲୀ ୧୩।୧: (ସଂକେତ ଟିଭି) କୋଭାକ୍ସିନର ବୁଷ୍ଟର ଡୋଜ୍‌ ଉଭୟ ଡେଲଟା ଓ ଓମିକ୍ରମକୁ ପରାହତ କରିପାରୁଛି ବୋଲି ଏହି ଟିକା ଉତ୍ପାଦନ କରୁଥିବା ଭାରତ ବାୟୋଟେକ୍‌ ଦାବି କରିଛି ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଉଭୟ ଡୋଜ କୋଭାକ୍ସିନ ନେବାର ୬ ମାସ ପରେ ଦିଆଯାଉଥିବା କୋଭାକ୍ସିନ ବୁଷ୍ଟର ଡୋଜ୍‌ ଶରୀରରେ ଯଥେଷ୍ଟ ମାତ୍ରାରେ ଆଣ୍ଟିବଡି ବା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଛି, ଯାହାକି କରୋନାର ବିଭିନ୍ନ ଭାରିଆଣ୍ଟ ଯେପରିକି ଆଲଫା, ବିଟା, ଡେଲଟା, ଡେଲଟା ପ୍ଲସ, ଓମିକ୍ରନକୁ ପରାହତ କରିପାରୁଛି ।

ଏପରିକି ବୁଷ୍ଟର ଡୋଜ ନେବା ପରେ କୋଭିଡ ଭୁତାଣୁ ବିରୋଧରେ ଆଣ୍ଟିବଡି ୧୯ରୁ ୨୬୫ ଗୁଣ ବୃଦ୍ଧି ପାଉଛି । କମ୍ପାନୀ ପକ୍ଷରୁ କୋଭାକ୍ସିନ ବୁଷ୍ଟର ଡୋଜ ପାଇଁ କରାଯାଇଥିବା କ୍ଲିନିକାଲ ପରୀକ୍ଷଣରୁ ଏସବୁ ଜଣାପଡ଼ିଛି । ଏହି ପରୀକ୍ଷଣରୁ ଜଣାପଡ଼ିଛି ଯେ, ଏହା ଦୀର୍ଘ ସମୟ ପାଇଁ ନିରାପଦ ଓ ଏହାର ସେଭଳି କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ।

ସୂଚନାଯୋଗ୍ୟ ଯେ, ଦେଶରେ କରୋନାର ୩ୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଗତ ୧୦ ତାରିଖରୁ ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକମାନଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବା ଆରମ୍ଭ ହୋଇଛି ।