ଗର୍ଭବତୀ ଥିବା ସମୟରେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଥିଲେ ଦିଆ ମିର୍ଜା

ମୁମ୍ବାଇ: (ସଂକେତ୍ ଟିଭି) ବଲିଉଡ ଜଣେ ଆଗଧାଡିର ଜଣାଶୁଣା ଅଭିନେତ୍ରୀ ଦିଆ ମିର୍ଜା । ୨୦୨୦ରେ ଅଭିନେତ୍ରୀ ତାଙ୍କ ପ୍ରେମିକ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ବିବାହ ତାଙ୍କର ଦ୍ୱିତୀୟ ବିବାହ ଥିଲା । ବିବାହ କିଛି ମାସ ପରେ ମାଆ ହେବା ନେଇ ଖୁସି ଖବର ଦେଇଥିଲେ । ମା ହେବା ଦିଆଙ୍କ ପାଇଁ ସେହି ସୁନ୍ଦର ଅନୁଭବ ଥିଲା ଯାହା ଅଭିନେତ୍ରୀଙ୍କ ଜୀବନକୁ ଏବେ ସମ୍ପୂର୍ଣ୍ଣ କରିଥିଲା । ଏହା ପୂର୍ବରୁ ପୁଅ ଅଭ୍ୟାନ୍ ପ୍ରି-ମେଚ୍ୟୋର ଥିବା ନେଇ ମଧ୍ୟ ସୂଚନା ଦେଇଥିଲେ ଆଉ ଏକ ଇମୋସନାଲ ନୋଟ୍ ମଧ୍ୟ ସେୟାର କରିଥିଲେ ।

କିନ୍ତୁ ମା ହେବା ତାଙ୍କ ପାଇଁ ଯେତିକି ସୁନ୍ଦର ଅନୁଭୂତି ଥିଲା ସେତିକି ହିଁ ଖରାପ ଅଭିଜ୍ଞତା ମଧ୍ୟ ଥିଲା । ଗର୍ଭାବସ୍ଥାରେ ଦିଆ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ତାଙ୍କର ସେହି ଯନ୍ତ୍ରଣାଦାୟକ ଅନୁଭୂତିକୁ ଏବେ ବଖାଣିଛନ୍ତି । ଏକ ସାକ୍ଷାତକାରରେ ଦିଆ ନିଜ ଗର୍ଭବତୀ ହେବା ସମୟର ଅଭିଜ୍ଞତା କହିଛନ୍ତି କି, ଗର୍ଭଧାରଣର ପଞ୍ଚମ ମାସରେ ତାଙ୍କୁ ଆପେଣ୍ଡେକ୍ଟୋମି ତଥା ଆପେଣ୍ଡିକ୍ସ ସର୍ଜରୀ କରିବାକୁ ପଡିଥିଲା । ଏହି ଅସ୍ତେ୍ରାପଚାର ପରେ ବହୁତ ଇଜଯେକ୍ସନ ହେତୁ ତାଙ୍କୁ ବାରମ୍ବାର ଡାକ୍ତରଖାନାକୁ ଆସିବାକୁ ପଡୁଥିଲା ।

ସେ କହିଥିଲେ, ‘ମୋ ଶିଶୁର ପ୍ରସବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ମୋର ପ୍ଲେସେଣ୍ଟା ଭିତରେ ରକ୍ତସ୍ରାବ ହେବା ଆରମ୍ଭ କରିଥିଲା । ତାହା ଅତ୍ୟନ୍ତ କଷ୍ଟଦାୟକ ସମୟ ଥିଲା ଏବଂ ମୁଁ ଗାଇନାକ୍ଲୋଜିଷ୍ଟଙ୍କ ପାଇଁ ବହୁତ କୃତଜ୍ଞ, ଯିଏ ମୋ ଜୀବନ ବଞ୍ଚାଇଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି , ମହାମାରୀ ସମୟରେ ଏକ ଶିଶୁକୁ ଦୁନିଆକୁ ଆଣିବା, ଏହି ନିଷ୍ପତ୍ତି ଆମ ସମସ୍ତଙ୍କ ପ୍ରଭାବିତ କରିଛି । ଏହି ସମୟରେ ଯେତେବେଳେ ଆମେ ଘରେ ଥାଉ, ଆମେ ଅନ୍ୟମାନଙ୍କ ସହଭାଗିତାକୁ ଉପଭୋଗ କରୁ ଏବଂ ଆମେ ସେହି ସବୁକିଛି କରିଥାଉ, ଯାହା ଆମ ପିଲାମାନଙ୍କର ସମୟକୁ ଖୁସି ଦିଏ ଆଉ ସୁରକ୍ଷିତ ରଖେ ।