ଶେଷ ପର୍ଯ୍ୟାୟରେ ପୂଜାରା ଓ ରାହାଣେଙ୍କ ଟେଷ୍ଟ ଜୀବନ

ନୂଆଦିଲ୍ଲୀ, ୧୪/୦୧: (ସଂକେତ୍ ଟିଭି) ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଦୁଇ ପୁରୁଖା ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ବିଫଳତା ଭାରତ ପାଇଁ ବଡ ଚିନ୍ତାର କାରଣ ହୋଇଛି । ଗତ ଦୁଇ ବର୍ଷଧରି ଉଭୟ ସମ୍ପୂର୍ଣ୍ଣ ବିଫଳ ହୋଇ ଆସୁଥିଲେ ହେଁ ଚୟନକର୍ତ୍ତାମାନେ ସେମାନଙ୍କୁ ଅନୁକମ୍ପା ଦେଖାଇ ବାରମ୍ବାର ଦଳରେ ସାମିଲ କରୁଛନ୍ତି ।

ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଏହି ଦୁଇ ଖେଳାଳି ଭାରତ ପାଇଁ ବଡ ଅବଦାନ ଦେବେ ବୋଲି ବିଶ୍ୱାସ କରା ଯାଉଥିଲା । ମାତ୍ର ଉଭୟ ଖେଳିଥିବା ୬ ଇନିଂସ ମଧ୍ୟରୁ ପାଞ୍ଚ ଥର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କେବଳ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଉଭୟ ଅର୍ଦ୍ଧଶତକ ଅର୍ଜନ କରିବା ବ୍ୟତିତ ଅନ୍ୟ କୌଣସି ଇନିଂସରେ ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନାହାନ୍ତି ।

ସେହିପରି ଟେଷ୍ଟ କ୍ରିକେଟରେ ରନ ସଂଗ୍ରହ ହାର ମଧ୍ୟ ଅତି ନୁ୍ୟନ୍ । ତଥାପି ଏହି ବିଫଳ ବ୍ୟାଟ୍ସମ୍ୟାନଙ୍କୁ ସବୁ ସିରିଜରେ ଖେଳିବା ସୁଯୋଗ ଦିଆ ଯାଉଛି । ନିକଟରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ମଧ୍ୟ ପୂଜାରା ଓ ରାହାଣେଙ୍କ ପ୍ରଦର୍ଶନ ଅତି ନୈରାଶ୍ୟ ଜନକ ଥିଲା । ଏହା ପୂର୍ବରୁ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ସିରିଜରେ ପୂଜାରା ଓ ରାହାଣେ ଫେଲ ମାରିଥିଲେ । ବିଫଳତା ସତ୍ବେ ଉଭୟଙ୍କୁ ସୁଯୋଗ ଦିଆ ଯାଉଥିବାରୁ ସୋସିଆଲ ମିଡିଆରେ ବିସିସିଆଇ ଚୟନକର୍ତ୍ତାଙ୍କୁ ନାନା ପ୍ରଶ୍ନ କରା ଯାଉଛି ।

କାରଣ ଏମାନଙ୍କ ସ୍ଥାନରେ ଖେଳିବା ପାଇଁ ଆହୁରି ଅନେକ ଖେଳାଳି ଅପେକ୍ଷା କରି ରହିଛନ୍ତି । ଶୁବମନ ଗିଲ ଓ ଶ୍ରେୟସ ଆୟାରଙ୍କ ସହିତ ହନୁମା ବିହାରୀ ଖେଳିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ତେଣୁ ଏତିକିରେ ରାହାଣେ ଓ ପୂଜାରାଙ୍କ ଟେଷ୍ଟ ଜୀବନର ଶେଷ ସମୟ ଆସି ଯାଇଛି ବୋଲି ଅନୁମାନ କରାଯାଏ । ଆସନ୍ତା ଫେବୃୟାରୀ -ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଦଳ ଚୟନ ବେଳେ ଏହି ବିଫଳ ଦୁଇ ବ୍ୟାଟ୍ସମ୍ୟାନଙ୍କୁ ବାଦ ଦେଇ ଚୟନକର୍ତ୍ତା ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେବେ ବୋଲି ଅନୁମାନ ।