୨୨ବର୍ଷ ପରେ ଫେରି ପାଇଲେ ୮କୋଟି ଟଙ୍କାର ସୁନା

ମୁମ୍ବାଇ ୧୫/୦୧: (ସଂକେତ ଟିଭି) ମୁମ୍ବାଇରେ ଦୀର୍ଘ ୨୨ ବର୍ଷ ତଳେ ଚୋରି ହୋଇଥିବା ସୁନା ଅଳଙ୍କାର ଶେଷରେ ପରିବାର ଲୋକ ଫେରି ପାଇଛନ୍ତି । ଜାନୁଆରି ୫ ତାରିଖରେ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ପୁଲିସକୁ ଉକ୍ତ ସୁନାକୁ ଫେରାଇ ଦେବାକୁ କୁହାଯାଇଥିଲା । ଏହାପରେ ଚରାଗ ଡିନର ସଂସ୍ଥାପକ ଅର୍ଜନ ଦାସଓ୍ୱାନିଙ୍କ ପୁଅ ରାଜୁ ଦାସଓ୍ୱାନିଙ୍କୁ ଚୋରି ହୋଇଥିବା ୮କୋଟି ଟଙ୍କାର ସୁନାକୁ ଫେରାଇ ଦିଆଯାଇଥିଲା । ଚୋରି ହୋଇଥିବା ସୁନା ମଧ୍ୟ ଥିଲା ରାଣୀ ଭିକେଫାରିଆଙ୍କ ପ୍ରତିଛବି ଥିବା ଏକ ସ୍ୱର୍ଣ୍ଣ ମୁଦ୍ରା, ଦୁଇଟି ସୁନା ବ୍ରେସଲେଟ, ୧୦୦ ଗ୍ରାମ ଓ ୨୦୦ ମିଲିଗ୍ରାମର ଦୁଇଟି ସୁନା ବିସ୍କୁଟ । ତେବେ ୨୨ ବର୍ଷ ପୂର୍ବେ ଚୋରି ହୋଇଥିବା ଏହି ସୁନା ମୂଲ୍ୟ ୧୩ ଲକ୍ଷ ଟଙ୍କା ଥିବା ବେଳେ ଏବେ ଏହାର ମୂଲ୍ୟ ପାଖାପାଖି ୮କୋଟି ଟଙ୍କା ହେବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ୧୯୯୮ ମସିହା ମେ ୮ ତାରିଖରେ କୋବଲାରେ ଥିବା ଅର୍ଜନ ଦାସଓ୍ୱାନୀ ଓ ତାଙ୍କ ସ୍ତ୍ରୀଙ୍କୁ ଘରେ ବାନ୍ଧି ଏହି ସୁନା ଅଳଙ୍କାରଗୁଡ଼ିକ ଚୋରି କରି ନେଇଯାଇଥିଲେ ଏକ ସଶସ୍ତ୍ର ଡକାୟତି ଦଳ । ଏହି ଚୋରି ଘଟଣା ନେଇ ପୁଲିସରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ପରେ ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରିଥିଲା । ବିଚାର ପତିୟୁଜେ ମୋର ଜାନୁଆରି ୫ ତାରିଖରେ ଶୁଣାଣି କରି ଏହି ସୁନା ଫେରାଇ ଦେବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲୋ ଅର୍ଜନ ଦାସଓ୍ୱାନୀଙ୍କ ୨୦୦୭ରେ ଦେହାନ୍ତ ହୋଇଯାଇଥିବାରୁ ପୁଲିସ ଏହି ଚୋରି ହୋଇଥିବା ସୁନାକୁ ତାଙ୍କ ପୁଅକୁ ଫେରାଇ ଦେଇଛି । କାରଣ ଅର୍ଜନ ଦାସଓ୍ୱାନିଙ୍କ ପୁଅ ରାଜୁ ଦାସଓ୍ୱାନି ଚୋରି ହୋଇଥିବା ସୁନାର ସମସ୍ତ ବିଲ ଓ ରସିଦ ଜମା କରିଥିଲେ ବୋଲି ପୁଲିସ କହିଛି ।