ମାନସିକ ସ୍ଥିତି ବିଗାଡ଼ିଛି କରୋନା ମହାମାରୀ
ନୂଆଦିଲ୍ଲୀ ୧୬/୦୧: (ସଂକେତ ଟିଭି) ବିଶ୍ୱରେ ଦେଢ଼ କୋଟିରୁ ଅଧିକ କୋଭିଡ ସଂକ୍ରମଣ ଗତ ସପ୍ତାହରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ସପ୍ତାହରେ ଏତେ ଅଧିକ ସଂଖ୍ୟକ ସଂକ୍ରମଣ ହୋଇ ନଥିଲା । ଓମିକ୍ରନ ପାଇଁ କରୋନା ସଂକ୍ରମଣରେ ଏହି ବୃଦ୍ଧି ଘଟିଛି । ପ୍ରାୟ ସବୁ ଦେଶରେ ଡେଲଟାର ସ୍ଥାନ ଏବେ ଓମିକ୍ରନ ନେଉଛି ।
କିନ୍ତୁ ଗତ ଅକ୍ଟୋବରରୁ ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ସ୍ଥିର ରହିଛି । ସପ୍ତାହକୁ ହାରାହାରି ପ୍ରାୟ ୪୮ ହଜାର ମୃତ୍ୟୁ ହେଉଛି । ହସ୍ପିଟାଲରେ ରୋଗୀଙ୍କ ଭର୍ତ୍ତିସଂଖ୍ୟା ଯଦିଓ ବୃଦ୍ଧି ପାଉଛି ତଥାପି ପୂର୍ବ ଲହର ତୁଳନାରେ ଏହା କମ୍ ରହିଛି । ସମ୍ଭବତଃ ଟିକା କିମ୍ବା ପୂର୍ବ ସଂକ୍ରମଣରୁ ମିଳୁଥିବା ସୁରକ୍ଷା ଯୋଗୁ ଏଭଳି ହେଉଛି । ଡେଲଟା ତୁଳନାରେ ଯଦିଓ ଏହା ରୋଗୀଙ୍କୁ କମ୍ ଗୁରୁତର କରୁଛି ତଥାପି ଏହା ବିପଦପୂର୍ଣ୍ଣ ରହିଛି ।
ଭୂତାଣୁ ସହିତ ବଞ୍ଚିବା ଶିଖିବା ଅର୍ଥ ନୁହେଁ ଯେ ଆମେ ଏତେ ସଂଖ୍ୟକ ମୃତ୍ୟୁକୁ ଗ୍ରହଣ କରିନେବା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରସ ଆଧନମ ଘେବ୍ରିୟସସ୍ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ବିଶ୍ୱରେ ଯେତେବେଳେ ବହୁସଂଖ୍ୟକ ଲୋକ ଟିକା ନେଇନାହାନ୍ତି ସେତେବେଳେ ଏହି ଭୂତାଣୁକୁ ବ୍ୟାପିବାକୁ ଦିଆଯିବା ଉଚିତ ନୁହେଁ ।
ଆଫ୍ରିକାରେ ୮୫ ପ୍ରତିଶତରୁ ଅଧିକ ଲୋକ ଏବେ ବି ଗୋଟିଏ ଡୋଜ୍ ଟିକା ନେଇନାହାନ୍ତ । ଟିକାଦାନ କ୍ଷେତ୍ରରେ ଥିବା ଏହି ପାର୍ଥକ୍ୟକୁ ହ୍ରାସ କରା ନଗଲେ ମହାମାରୀର ଅତି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପୂର୍ଣ୍ଣଛେଦ ପକାଯାଇ ପାରିବ ନାହିଁ । ଗତବର୍ଷ ଟିକା ଯୋଗାଣରେ ଦେଖାଦେଇଥିବା ପ୍ରତିବନ୍ଧକ ଏବେ କିଛିଟା କମିଛି ।
କିନ୍ତୁ ଚଳିତବର୍ଷ ମଧ୍ୟଭାଗ ସୁଦ୍ଧା ପ୍ରତ୍ୟେକ ଦେଶର ୭୦ ପ୍ରତିଶତ ଲୋକଙ୍କୁ ଟିକାଦାନ ଲକ୍ଷ୍ୟ ହାସଲ ପାଇଁ ଅନେକ କିଛି କରିବାକୁ ହେବ । ୯୦ ଦେଶରେ ବର୍ତ୍ତମାନ ସୁଦ୍ଧା ୪୦ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇନାହିଁ । ଏଥିରୁ ୩୬ଟି ଦେଶରେ ୧୦ ପ୍ରତିଶତରୁ କମ୍ ଲୋକଙ୍କୁ ଟିକା ଦିଆଯାଇଛି । ସଂକ୍ରମଣ ଅଧିକ ବ୍ୟାପିଲେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢିବ । ଅଧିକ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେବ । ଅଧିକ ଲୋକ ଚାକିରି ହରାଇବେ । ଏଥିସହିତ ପୂର୍ବରୁ ଚାପଗ୍ରସ୍ତ ହୋଇ ଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଚାପ ଆହୁରି ବଢିବ ।
ଯେଉଁମାନେ ଅଧିକ ବିପଦରେ ଅଛନ୍ତି ସେମାନଙ୍କୁ ସୁରକ୍ଷା ଦିଆଗଲେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଚାପ କମିବ । ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ କମ୍ ଚାପ ରହିବ । ଓମିକ୍ରନ ଯୋଗୁ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ପୁଣି ଚାପ ସୃଷ୍ଟି ହୋଇଛି । ଗତବର୍ଷ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ମହାମାରୀ ସମୟରେ ପ୍ରତି ୪ ଜଣରେ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଛି । ଅନେକ ଦେଶରେ ବହୁ ସ୍ୱାସ୍ଥ୍ୟକର୍ମୀ ଚାକିରି ଛାଡ଼ିବା ପାଇଁ ଚିନ୍ତା କରିଥିଲେ କିମ୍ବା ଛାଡ଼ି ଦେଇଛନ୍ତି ।
ସେମାନେ ମୁଖ୍ୟତଃ ଡାକ୍ତରଖାନାଗୁଡ଼ିକର ଖରାପ କାର୍ଯ୍ୟ ପରିବେଶ, ପର୍ଯ୍ୟାପ୍ତ ସଂଖ୍ୟକ ସହକର୍ମୀ ନଥିବା ଏବଂ ଜୀବନ ଦୁର୍ବିସହ ହେବା କାରଣରୁ ଏଭଳି ଅବସ୍ଥାର ସମ୍ମୁଖୀନ ହୋଇଥିଲେ । ସ୍ୱାସ୍ଥ୍ୟକର୍ମୀମାନେ ଆମକୁ ବଞ୍ଚାଇବା ପାଇଁ ଗତ ୨ ବର୍ଷ ମଧ୍ୟରେ ସର୍ବାଧିକ ପ୍ରୟାସ କରିଛନ୍ତି ।ତେଣୁ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆମେ ଆମର ଦାୟିତ୍ବ ନିଭାଇବା ଆବଶ୍ୟକ । ଏଥିପାଇଁ ଟିକା ନେବା, ସଂକ୍ରମଣକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ନେବା ଆଦି ଅନ୍ୟତମ ବୋଲି ହୁ ମୁଖ୍ୟ କହିଛନ୍ତି ।