କ୍ରିପ୍ଟୋ କାରବାର ଉପରେ ଲାଗିପାରେ ଟିକସ

ନୂଆଦିଲ୍ଲୀ ୧୮/୦୧: (ସଂକେତ ଟିଭି) : କେନ୍ଦ୍ର ସରକାର ଆସନ୍ତା ବଜେଟରେ କ୍ରିପ୍ଟୋ କରେନ୍ସି କାରବାର ଉପରେ ଟିକସ ଲଗାଇ ପାରନ୍ତି । କ୍ରିପ୍ଟୋର କିଣାବିକା ଉପରେ ଟିଡିଏସ୍/ଟିସିଏସ୍ ଭଳି ଶୁଳ୍କ ଲାଗିପାରେ । ପ୍ରଥମ ଥର ଲାଗି କ୍ରିପ୍ଟୋ କାରବାରକୁ ଆୟ ଭାବେ ବିଚାର କରି ତାହା ଉପରେ ୩୦% ଭଳି ଚା ଦରରେ ଟିକସ ଲଗାଯିବ । ଲଟେରି, ଗେମ୍ ସୋ’, ପଜଲ୍ ଆଦିରୁ ହେଉଥିବା ଆୟ ସହ କ୍ରିପ୍ଟୋ କରେନ୍ସି କାରବାରକୁ ତୁଳନା କରାଯିବ ।

ବିଶ୍ୱର ସର୍ବାଧିକ କ୍ରିପ୍ଟୋ ଗ୍ରାହକ ଭାରତରେ ଅଛନ୍ତି । ଏଠାରେ ପ୍ରାୟ ୧୦ କୋଟି ଲୋକ କ୍ରିପ୍ଟୋରେ କାରବାର କରୁଛନ୍ତି । ସେମାନେ ଏହି ଡିଜିଟାଲ ମୁଦ୍ରାଗୁଡ଼ିକରେ ବିପୁଳ ନିବେଶ କରିଛନ୍ତି । କିଛି ଦିନ ତଳେ କ୍ରିପ୍ଟୋ କରେନ୍ସି ବେଶ ଚର୍ଚ୍ଚାରେ ଥିଲା । ସବୁ ଘରୋଇ କ୍ରିପ୍ଟୋଗୁଡ଼ିକୁ ନିଷିଦ୍ଧ ଘୋଷଣା କରିବା ଲାଗି ସରକାର ଏକ ବିଲ୍ ପ୍ରସ୍ତୁତ କରିଛନ୍ତି । ତାହାକୁ ସଂସଦର ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରିବାର ଯୋଜନା ଥିଲା । ଅବଶ୍ୟ ସେହି କାର୍ଯ୍ୟ ସମ୍ଭବ ହୋଇନାହିଁ ।

ତେଣୁ ବଜେଟ୍ ରେ କ୍ରିପ୍ଟୋ କାରବାର ଉପରେ ଟିକସ ଲଗାଇବା ଉପରେ ସରକାର ବିଚାର କରୁଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । କ୍ରିପ୍ଟୋ କାରବାରକୁ ନିୟନ୍ତ୍ରଣ କରିବା ଲାଗି ଦେଶରେ ଏବେ କୌଣସି ନିୟମ ନାହିଁ । ଯେହେତୁ ଏହି ମୁଦ୍ରାଗୁଡ଼ିକ ଦେଶର ଅର୍ଥନୀତି ପ୍ରତି ଏକ ବିପଦ ତେଣୁ ସେଗୁଡ଼ିକୁ ନିଷିଦ୍ଧ କରାଯାଉ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଦାବି କରୁଛି । କିନ୍ତୁ, ବହୁ ସଂଖ୍ୟକ ଲୋକ ତାହାକୁ ବ୍ୟବହାର କରୁଥିବାରୁ ସରକାର କ୍ରିପ୍ଟୋକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ।