କରୋନା ନୂଆ ଭାରିଆଣ୍ଟକୁ ମାତ୍ ଦେବ ଭାରତୀୟ ଟିକା, ମାନବ ପରୀକ୍ଷଣ ଖୁବ ଶିଘ୍ର

ନୂଆଦିଲ୍ଲୀ ୧୮/୦୧: (ସଂକେତ ଟିଭି) କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ମୁକାବିଲା କରିବା ପାଇଁ ଭାରତରେ ପ୍ରଚଳିତ ଟିକାକୁ ନେଇ ବିଶେଷଜ୍ଞମାନେ ବିଭିନ୍ନ ମତ ଦେଉଥିବା ବେଳେ ଖୁବ ଶୀଘ୍ର ଆଉ ଏକ ଭାରତୀୟ ଟିକା ବଜାରକୁ ଆସିବାକୁ ଯାଉଛି । ପୁନେସ୍ଥିତ ଜିନୋବା ବାୟୋ ପାର୍ମାସିଷ୍ଟିକାଲ ଏହି ନୂଆ ଟିକାର ପ୍ରସ୍ତୁତି କରିଛି । ଏହାର ହ୍ୟୁମାନ ଟ୍ରାଏଲ ଖୁବ୍ ଶୀଘ୍ର ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ‘ଭାରିଆଣ୍ଟ-ସ୍ପେସିଫିକ’ ଟିକା ଦେଶର ପ୍ରଥମ ଏମ୍ଆରନ୍ନ୍ଏ କୌଶଳରେ ବିକଶିତ ହୋଇଥିବା ଜିନୋବା ପକ୍ଷରୁ କୁହାଯାଇଛି । ଏହି କମ୍ପାନୀ ଏଥିପୂର୍ବରୁ ମଧ୍ୟ କରୋନାର ସବୁଠୁ ଭୟାବହ ଭାରିଆଣ୍ଟ ଡେଲଟା ପାଇଁ ମଧ୍ୟ ସ୍ୱତନ୍ତ୍ର ଟିକା ପ୍ରସ୍ତୁତି କରିସାରିଛି । ତେବେ ଭାରତ ସରକାରଙ୍କ ପକ୍ଷରୁ ଏହି ନୂଆ ଟିକାର ଶେଷ ପର୍ଯ୍ୟାୟ ଟ୍ରାଏଲ ପାଇଁ ମଞ୍ଜୁରି ମିଳିନଥିବା ବେଳେ କେନ୍ଦ୍ର ସରକାର ଖୁବ ଶୀଘ୍ର ମଞ୍ଜୁରି ପ୍ରଦାନ କରିବା ନେଇ ସୂଚନା ମିଳିଛି ।

ସେହିପରି ଡେଲଟା ଭାରିଆଣ୍ଟ ପାଇଁ ନିର୍ମିତ ଟିକାର ଫ୍ରେଜ ୨ ଟ୍ରାଏଲ ଶେଷ ହୋଇଥିବା ବେଳେ ଫେଜ-୩ ଟ୍ରାଏଲ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରିକୁ ଅପେକ୍ଷା କରାଯାଇଛି । ଏହି ଏମ୍ଆର୍ଏନ୍ଏ ବିକଶିତ ଟିକା ଭାରତ ପାଇଁ ଏକ ବଡ ଉପଲବ୍ଧି ବୋଲି ଏନ୍ସିଟିଏଫ୍ର ମୁଖ୍ୟ ଡା. ଭି.କେ ପଲ କହିଛନ୍ତି । ଏମଆରଏନ୍ଏ ବା ମେସେଞ୍ଜର ଆରଏନ୍ଏ ଜେନେଟିକ କୋଡ୍ର ଏକ ଛୋଟ ଅଂଶ, ଯାହାକି ମନୁଷ୍ୟର କୋଷିକାରେ ପ୍ରୋଟିନ ବନାଇଥାଏ ।

ଯେତେବେଳେ ଶରୀରରେ କୌଣସି ଭାଇରସ୍ ପ୍ରବେଶ କରେ ଏମ୍ଆରଏନ୍ଏ ପ୍ରକ୍ରିୟାରେ ମନୁଷ୍ୟ ଶରୀରରେ ଥିବା କୋଷିକା ଉକ୍ତ ଭାଇରସ ସହ ଲଢେଇ କରିବା ପାଇଁ ପ୍ରୋଟିନ ନିର୍ମାଣ ନିମନ୍ତେ ମେସେଞ୍ଜର ଭାବେ କାର୍ଯ୍ୟ କରିଥାଏ । ଏହାଦ୍ୱାରା ଶରୀରରେ ଆବଶ୍ୟକ ଇମିନୁ୍ୟ ସିଷ୍ଟମ ବୃଦ୍ଧି ହୋଇଥାଏ ଓ ଶରୀରରେ ଆଣ୍ଟିବଡ଼ି ସ୍ୱତଃପ୍ରବୃତ୍ତଭାବେ ନିର୍ମାଣ ହୋଇଥାଏ ବୋଳି ବିଶେଷଜ୍ଞମାନେ କହିଛନ୍ତି ।

ବିଶ୍ୱର କିଛି ହାତଗଣତି ଦେଶ ନିକଟରେ ଏପରି ଟିକା ରହିଥିବା ବେଳେ ଭାରତ ପାଇଁ ଏହା ଏକ ବଡ ସଫଳତା ବୋଲି କୁହାଯାଉଛି । ଆମେରିକାର ଫାଇଜର କମ୍ପାନୀ ଆସନ୍ତା ମାର୍ଚ୍ଚା ମାସ ସୁଦ୍ଧା ଓମିକ୍ରନ ପାଇଁ ଉର୍ଦ୍ଧିଷ୍ଟ ଟିକା ଉପଲବ୍ଦ କରିବାକୁ କହୁଥିବା ବେଳେ ମଡର୍ଣ୍ଣା ଓ ଆଷ୍ଟ୍ରାଜେଣ୍ଟା ମଧ୍ୟ ସମାଜ ପ୍ରକାରର ଟିକା ନିର୍ମାଣରେ ନିଜକୁ ନିୟୋଜିତ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଜିନୋବା ବାୟୋଫାର୍ମାସିଷ୍ଟିକାଲର ସିଇଓଙ୍କ କହିବାନୁଯାୟୀ, କମ୍ପାନୀ ୫ରୁ ୧୭ବର୍ଷ ବୟସ ବର୍ଗଙ୍କ ପାଇଁ ଟିକା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ଏମ୍ଆରଏନ୍ଏ କୌଶଳରେ ନିର୍ମିତ ଟିକା ଖୁବ୍ ସହଜରେ ବିକଶିତ କରିହେଉଛି । ଯେପରି ଭାଇରସ୍ ତ୍ୱରିତ ବେଗରେ ନିଜର ରୂପ ବଦଳାଉଛି ସମାନ ବେଗରେ ଜିନେବା ପକ୍ଷରୁ ଟିକା ବିକଶିତ କାର୍ଯ୍ୟ ଜାରି ରହିଥିବା ଡା. ସଞ୍ଜୟ ସିଂ କହିଛନ୍ତି ।