୨ କୋଟି ପର୍ଯ୍ୟନ୍ତ ଋଣ ପରିଶୋଧ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ, ୨୦/୦୧: (ସଂକେତ୍ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ତିନୋଟି ପ୍ରସଙ୍ଗ ଉପରେ ନିଷ୍ପତ୍ତି ନିଆଯାଇଛି । କରୋନା ସମୟରେ ବାଣିଜ୍ୟିକ ତଥା ବ୍ୟକ୍ତିଗତ ଋଣଗ୍ରହୀତାଙ୍କ ଋଣଭାର ଲାଘବ କରିବା ପାଇଁ ସ୍ୱତନ୍ତ୍ର ନିଷ୍ପତ୍ତି ନିଆଯାଇଛି ।

କ୍ଷୁଦ୍ର ଋଣଗ୍ରହୀତାଙ୍କ କ୍ଷେତ୍ରରେ ଋଣ ପରିଶୋଧର ସମୟସୀମାକୁ ୬ ମାସ ବୃଦ୍ଧି କରାଯାଇଛି । ଏହି ୬ ମାସ ମଧ୍ୟରେ ଋଣ ବାବଦକୁ ଦେବାକୁ ଥିବା ଚକ୍ରବର୍ତ୍ତୀ ସୁଧ ସେମାନଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହେବ ନାହିଁ । ସେଥିପାଇଁ ଚକ୍ରବର୍ତ୍ତୀ ସୁଧ ଓ ସାଧାରଣ ସୁଧ ମଧ୍ୟରେ ଥିବା ବ୍ୟବଧାନ ଉପରେ ରିହାତି ଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ।

ଏ ବାବଦକୁ ୨୦୨୦-୨୧ ଆର୍ଥିକ ବଜେଟ୍ ରେ ୫,୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଋଣ, ଚିଠା ଋଣ, ଗୃହଋଣ, ଗୃହପୋକରଣ ଋଣ, କ୍ରେଡିଟ୍ କାର୍ଡ, ଗାଡ଼ି ଋଣ ତଥା ବ୍ୟକ୍ତିଗତ ଋଣ କ୍ଷେତ୍ରରେ ଏହା ଲାଗୁ ହେବ । ତେବେ ଏହି ଋଣର ସର୍ବାଧିକ ପରିମାଣ ୨ କୋଟି ମଧ୍ୟରେ ରହିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସେହିପରି ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗଙ୍କ କାର୍ଯ୍ୟକାଳ ୩ ବର୍ଷ ବୃଦ୍ଧି କରାଯାଇଛି । ଆୟୋଗଙ୍କ କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ବେଳେ ଏହାକୁ ଏପ୍ରିଲ ୧ତାରିଖରୁ ୨୦୨୫ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅକ୍ଷୟଶକ୍ତି କ୍ଷେତ୍ରର ବିକାଶ ପାଇଁ ଭାରତୀୟ ଅକ୍ଷୟଶକ୍ତି ଉନ୍ନୟନ ନିଗମକୁ ୧୫୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନକୁ ମଞ୍ଜୁରି ମିଳିଛି । ଏ ନେଇ କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା କାର୍ଯ୍ୟକାରୀ ହେଲେ ଆଇଆରଇଡିଏ ଅକ୍ଷୟଶକ୍ତି କ୍ଷେତ୍ର ପାଇଁ ୧୨ହଜାର କୋଟି ଟଙ୍କାର ଋଣ ପାଇବାରେ ସକ୍ଷମ ହେବ ।