ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛି ଓଡିଶା
ଭୁବନେଶ୍ବର, ୨୫/୦୧: (ସଂକେତ୍ ଟିଭି) ଗୋଷ୍ଠୀ ସଂକ୍ରମଣ ଓଡ଼ିଶାକୁ ମୁହାଁଇଛି । ଦେଶର ମେଟ୍ରୋ ସହରଗୁଡ଼ିକରେ ଗୋଷ୍ଠୀ ସଂକ୍ରମଣ ଅଛି, ହେଲେ ଓଡ଼ିଶାରେ ଆରମ୍ଭ ହୋଇନାହିଁ । ଗୋଷ୍ଠୀ ସଂକ୍ରମଣ ହୋଇଛି ଅର୍ଥାତ୍ ସ୍ଥାନୀୟ ଅଞ୍ଚଳରେ ଓମିକ୍ରୋନ ସଂଖ୍ୟା ବଢ଼ିଛି । ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହାକୁ ଜାଣିବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । କିଛି ଦିନ ତଳେ ହୋଇଥିବା ଜେନମ ସିକ୍ୱେନସିଂ ଅନୁସାରେ ୬୦ ପ୍ରତିଶତ ଥିଲା । ଏବେ ନିଶ୍ଚୟ ବଢିଥିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ବାହାର ଦେଶର ଯାତ୍ରୀଙ୍କ ଆଗମନ ବିନା ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢ଼ୁଛି, ତାର ଅର୍ଥ ଗୋଷ୍ଠୀ ସଂକ୍ରମଣ ହୋଇଛି । ଅନ୍ୟ ଦେଶରେ ଏଭଳି ଘଟିଛି । ଆଉ କିଛି ଦିନରେ ଭାରତରେ ବି ଗୋଷ୍ଠୀ ସଂକ୍ରମଣ ହୋଇଯିବ । ଏବେ ରାଜ୍ୟରେ ବହୁତ କମ ସଂକ୍ରମିତ ହସ୍ପିଟାଲରେ ଆଡମିଟ ହେଉଛନ୍ତି । ଏହା ମାତ୍ର ଦୁଇ ପ୍ରତିଶତ ଥିବା କୁହାଯାଇଛି ।
ଯଦି ସାମାନ୍ୟ ଲକ୍ଷଣ ରହୁଛି ତା’ହେଲେ ଟେଷ୍ଟ କରାଇବା ସହ ସଚେତନ ରହିବା ଜରୁରି ବୋଲି ପରାମର୍ଶ ଦିଆଯାଇଛି । ଟେଷ୍ଟ ନ କଲେ ଘରେ ସମସ୍ତଙ୍କୁ ହେବାର ଆଶଙ୍କା ରହିଛି । ଏଯାଏଁ ରାଜ୍ୟରେ ସଂକ୍ରମଣ ତଳ ମୁହାଁ ହୋଇଛି ବୋଲି କହି ହେବନାହିଁ । ଆମକୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ହେବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।