ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ, କରୋନାର ଶେଷ ପ୍ରଜାତି ନୁହେଁ ଓମିକ୍ରୋନ୍
ଜେନେଭା, ୨୫/୦୧: (ସଂକେତ୍ ଟିଭି) କରୋନା ଭୂତାଣୁର ଓମିକ୍ରୋନ ପ୍ରଜାତି ଶେଷ ପ୍ରଜାତି ନୁହେଁ । ଓମିକ୍ରୋନକୁ ଶେଷ ପ୍ରଜାତି ଭାବିବା ବହୁତ ବନ ଭୁଲ ହେବ ବୋଲି ଚେତାବନୀ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଏଡନାମ୍ । କରୋନା ମହାମାରୀ ସଂପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଓମିକ୍ରୋନ ପରେ କରୋନାର ଅନ୍ୟ ପ୍ରଜାତିର ସଂକ୍ରମଣ ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
ଯୁକ୍ତରାଷ୍ଟ୍ର ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ଅବସରରେ ସେ ଆହୁରି କହିଛନ୍ତି ଯେ ମହାମାରୀ ରୋକିବା ପାଇଁ ଯଦି ବଡ଼ଧରଣର ରଣନୀତି ପ୍ରସ୍ତୁତ କରାଯିବ ତେବେ ଚଳିତବର୍ଷ ଶେଷ ସୁଦ୍ଧା କରୋନା ମହାମାରୀକୁ ସଂପୂର୍ଣ୍ଣ ଶେଷ କରାଯାଇପାରିବ । ଭବିଷ୍ୟତରେ ଏଭଳି ମହାମାରୀକୁ ରୋକିବା ପାଇଁ କରୋନା ମହାମାରୀ ଦେଇଥିବା ଶିକ୍ଷାକୁ ବ୍ୟବହାର କରି ସମାଧାନର ରାସ୍ତା ଖୋଜିବାର ସମୟ ଆସିଥିବା ସେ କହିଛନ୍ତି ।
ଯେଉଁଥି ପାଇଁ ଭବିଷ୍ୟତରେ ମହାମାରୀ ଶେଷ ହେବା ପର୍ଯ୍ୟନ୍ତ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କରୋନା ସଂପର୍କରେ ବିଶ୍ୱରେ ସଂକ୍ରମଣର ପରିସଂଖ୍ୟାନ ଦେବାକୁ ଯାଇ ଡବ୍ଲୁଏଚ୍ଓ ମୁଖ୍ୟ କହିଛନ୍ତି ଯେ ଗତ ସପ୍ତାହରେ ପ୍ରତି ୧୨ ସେକେଣ୍ଡରେ ଜଣକର ମୃତ୍ୟୁ ଘଟିଥିଲା । ସେହିପରି ପ୍ରତି ୩ ସେକେଣ୍ଡରେ ୧୦୦ ଲୋକ କରୋନାରେ ସଂକ୍ରମିତ ହେଉଥିଲେ ।
୨୦୧୯ରେ କରୋନାର ପ୍ରଥମ ସଂକ୍ରମଣ ଆସିବାଠାରୁ ବିଶ୍ୱର ୫୬ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ପ୍ରାଣ ହରାଇ ସାରିଥିବା ଡବ୍ଲୁଏଚ୍ଓ ମୁଖ୍ୟ ଟେଡ୍ରୋସ ଏଡନାମ କହିଛନ୍ତି । କରୋନାରୁ ସଂପୂର୍ଣ୍ଣ ମୁକ୍ତି ପାଇବା ପାଇଁ ୨୦୨୨ ସୁଦ୍ଧା ପ୍ରତ୍ୟେକ ଦେଶର ୭୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରାଯିବା ନେଇ ସେ ଅପିଲ କରିଛନ୍ତି । ଡବ୍ଲୁଏଚ୍ଓ ସହ ଅନୁବନ୍ଧିତ ୧୯୪ ଦେଶ ମଧ୍ୟରୁ ଅଧା ଦେଶ ୨୦୨୧ ଶେଷ ସୁଦ୍ଧା ୪୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରାଇଥିବା ସେ ସ୍ପଷ୍ଟ କରିବା ସହ ଆଫ୍ରିକାର ୮୫ ପ୍ରତିଶତ ଲୋକ ଟିକାର ପ୍ରଥମ ଡୋଜ୍ ମଧ୍ୟ ନେଇ ନଥିବା ଉଲ୍ଲେଖ କରି ଉଦ୍ବେଗ ପ୍ରକାଶ କରିଛନ୍ତି ।
ଡବ୍ଲୁଏଚ୍ଓ ପକ୍ଷରୁ ବିକଶିତ ରାଷ୍ଟ୍ରମାନେ ଅନ୍ୟ ଦେଶକୁ ଟିକାକରଣରେ ସହଯୋଗ କରିବା ସହ ସେମାନଙ୍କୁ ଟିକା ଯୋଗାଇ ଦେବା ନେଇ ଅନୁରୋଧ କରିଛନ୍ତି । ଅପରପକ୍ଷରେ ଭାରତରେ ସୋମବାର କରୋନାର ଆଉ ଏକ ନୂଆ ପ୍ରଜାତି ଚିହ୍ନଟ ହୋଇଛି । ଏହାର ନାମକରଣ ବିଏ-୨ ରଖାଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରଠାରେ ଏହି ନୂଆ ପ୍ରଜାତିରେ ସଂକ୍ରମିତ ହୋଇଥିବା ୧୬ଜଣ କରୋନା ରୋଗୀଙ୍କଠାରେ ଏହି ଭୂତାଣୁ ଦେଖାଯାଇଛି, ଯେଉଁଥିରେ ୬ଜଣ ଶିଶୁ ରହିଛନ୍ତି । ଦେଶର ୫୩୦ ସାମ୍ପୁଲ ପରୀକ୍ଷଣ ପାଇଁ ପଠାଯାଇଛି । ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଡେନମାର୍କରେ ଏହି ବିଏ- ୨ ପ୍ରଜାତି ଭୂତାଣୁ ମଧ୍ୟ ଚିହ୍ନଟ ହୋଇଥିବା ନଜରକୁ ଆସିଛି । ଏହି ନୂଆ ପ୍ରଜାତି ଓମିକ୍ରୋନ ପରି ଖୁବ ଶୀଘ୍ର ସଂକ୍ରମଣ କରୁଥିବା ଜଣାପଡ଼ିଛି ।
କ୍ଷୀପ୍ର ସଂକ୍ରମଣ କ୍ଷମତା ରଖିଥିବା ବିଏ- ୨ ସାଧାରଣତଃ ଟେଷ୍ଟ କିଟ୍ ରେ ଧରାପଡୁନଥିବା ବିଶେଷଜ୍ଞ କହିଛନ୍ତି । ସେଥିପାଇଁ ଏହାକୁ “ସ୍ପେଲ୍ଥ’ ଅବା ଲୁଚି ରହିଥିବା ଭୂତାଣୁର ନାମକରଣ କରାଯାଇଛି ।