ପୁଣି ମହଙ୍ଗା ହେବ ମୋବାଇଲ କଲ୍

ନୂଆଦିଲ୍ଲୀ, ୨୬/୦୧: (ସଂକେତ୍ ଟିଭି) ମୋବାଇଲ ଉପଭୋକ୍ତାଙ୍କ ପାଇଁ ଖରାପ ଖବର। ଆଗକୁ ପୁଣି ଥରେ ମହଙ୍ଗା ହେବାକୁ ଯାଉଛି ମୋବାଇଲରେ କଥାବାର୍ତ୍ତା। କାରଣ ଟେଲିକମ୍ ଅପରେଟର ମାନେ ପୁଣି ଥରେ ସେମାନଙ୍କର ମୋବାଇଲ ଟାରିଫ ବୃଦ୍ଧି କରିବାକୁ ଯାଉଛନ୍ତି । ମାତ୍ର ଦୁଇ ମାସ ତଳେ ଅର୍ଥାତ୍ ନଭେମ୍ବରରେ ମୋବାଇଲ ଟାରିଫ୍ ବୃଦ୍ଧି କରିଥିବା ଟେଲିକମ୍ କମ୍ପାନୀ ଏବେ ପୁଣି ଥରେ ସେମାନଙ୍କର ପ୍ଲା୍ନ୍ ଗୁଡିକର ମୂଲ୍ୟ ବଢ଼ାଇବାକୁ ଯୋଜନା କରିଛନ୍ତି ।

ଏହି ଅନୁଯାୟୀ, ଭୋଡା ଫୋନ୍- ଆଇଡିଆ (ଭି) ଟାରିଫ୍ ପ୍ଲାନ୍ ବୃଦ୍ଧି କରିପାରନ୍ତି । ଏ ସମ୍ପର୍କରେ କମ୍ପାନୀର ଜଣେ ଉଚ୍ଚ ଅଧିକାରୀ କହିଛନ୍ତି ଯେ , ଚଳିତ ବର୍ଷ ଶୁଳ୍କ ସଂଶୋଧିତ ହୋଇପାରେ , କିନ୍ତୁ ଏହା ଗତ ବର୍ଷ ନଭେମ୍ବରରେ ଶୁଳ୍କ ବୃଦ୍ଧି ଏବଂ ବଜାର ପ୍ରତିକ୍ରିୟା ଉପରେ ନିର୍ଭର କରିବ । ଭୋଡାଫୋନ୍-ଆଇଡିଆ ଏମଡି ଏବଂ ସିଇଓ ରବିନ୍ଦର ଟକ୍କର କହିଛନ୍ତି ଯେ , କମ୍ପାନୀ ଶସ୍ତା ମୂଲ୍ୟର ପ୍ଲାନ୍ ର ମୂଲ୍ୟ ଏକ ମାସ ପାଇଁ ୯୯ ଟଙ୍କା ରଖିଛି, ଯାହା ୪ଜି ସେବା ବ୍ୟବହାରକାରୀଙ୍କ ପାଇଁ ଅତ୍ୟଧିକ ମହଙ୍ଗା ନୁହେଁ।

ଟକ୍କର ଆହୁରି ମଧ୍ୟ କହଛନ୍ତି ଯେ , ଚଳିତ ବର୍ଷ ପୁଣି ଥରେ ଏହି ପ୍ଲାନ୍ ଗୁଡ଼ିକର ଦର ବୃଦ୍ଧି ହୋଇପାରେ । ଭୋଡାଫୋନ୍ ଆଇଡିଆ (ଭି) ଗତବର୍ଷ ନଭେମ୍ବରରେ ଏହାର ପ୍ରିପେଡ୍ ପ୍ଲା୍ନ୍ ମୂଲ୍ୟ ୨୦ ରୁ ୨୫% ବୃଦ୍ଧି କରିଥିଲା। ଗତ ବର୍ଷ ଏୟାରଟେଲ ଏବଂ ଜିଓ ସେମାନଙ୍କର ମୋବାଇଲ ପ୍ଲାନ୍ ମହଙ୍ଗା କରିଥିଲେ । ଭୋଡାଫୋନ୍- ଆଇଡିଆ ଗ୍ରାହକ ସଂଖ୍ୟା ଦୃଷ୍ଟି ରୁ ଏୟାରଟେଲ ଏବଂ ଜିଓଠାରୁ ବହୁ ପଛରେ ରହିଛନ୍ତି । ଯୋଜନା ଗୁଡିକ ମହଙ୍ଗା ହେବା ପରେ ଭୋଡାଫୋନ୍-ଆଇଡିଆ ର ଗ୍ରାହକ ସଂଖ୍ୟା ଏକ ବର୍ଷରେ ୨୬.୯୮ କୋଟି ରୁ ୨୪.୭୨ କୋଟି ଟଙ୍କାକୁ ଖସିଆସିଛି ।

ଶୁଳ୍କ ମହଙ୍ଗା ହେବା ସତ୍ତ୍ବେ କମ୍ପାନୀ ଗୁଡିକର ଉପଭୋକ୍ତା ପିଛା ହାରାହାରି ଆୟ ୫ ପ୍ରତିଶତ ହ୍ରାସ ପାଇ ୧୧୫ ଟଙ୍କା ହୋଇଛି , ଯାହାକି ୨୦୨୦-୨୧ ବର୍ଷର ସମାନ ତ୍ରୈମାସରେ ୧୨୧ ଟଙ୍କା ରହିଥିଲା। ଗତ ସପ୍ତାହରେ, କମ୍ପାନୀ ଗୁଡିକ ଦେଇଥିବା ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୧ରେ ଶେଷ ହୋଇଥିବା ତୃତୀୟ ତ୍ରୈମାସରେ କମ୍ପାନୀର ମୋଟ କ୍ଷତି ୭୨୩୦.୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପୂର୍ବ ବର୍ଷ ସମାନ ତ୍ରୈମାସରେ ୪୫୩୨.୧ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।