ପୁଣି ଲେଉଟିବ କରୋନା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ଜେନେଭା, ୨୬/୦୧: (ସଂକେତ୍ ଟିଭି) ୟୁରୋପରୁ ଯେତେବେଳେ ଓମିକ୍ରନ୍ ଲହର ଚାଲିଯିବ, ସେତେବେଳେ ଉକ୍ତ ଅଞ୍ଚଳରେ କୋଭିଡ୍ ମହାମାରୀର ଅନ୍ତ ଘଟିବ, ଯଦିଓ ଚଳିତବର୍ଷ ଶେଷ ବେଳକୁ ଭୂତାଣୁ ପୁଣି ଲେଉଟିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଏୁଏଚ୍ଓ)ର ୟୁରୋପ ନିର୍ଦ୍ଦେଶକ ହଂସ କ୍ଲୁଗ କହିଛନ୍ତି ।
କ୍ଲୁଗଙ୍କ ଅନୁଯାୟୀ, ମାର୍ଚ୍ଚ ସୁଦ୍ଧା ୬୦ ପ୍ରତିଶତ ୟୁରୋପୀୟଙ୍କୁ ଓମିକ୍ରନ୍ ଭାରିଆଣ୍ଟ ଆକ୍ରାନ୍ତ କରିପାରେ । ମହାମାରୀର ଅନ୍ତିମ ଖେଳ ଏବେ ଚାଲିଥିବା କୁହାଯାଇପାରେ । ତାଙ୍କ ମତରେ ଓମିକ୍ରନ୍ ଲହରର ଅନ୍ତ ଘଟିବା ପରେ କିଛି ସପ୍ତାହ ବା କିଛି ମାସ ପାଇଁ ସାରା ପୃଥିବୀରେ ଗଣପ୍ରତିରୋଧକତା (ଗ୍ଲୋବାଲ ଇମ୍ୟୁନିଟି) ଦେଖିବାକୁ ମିଳିବ । ସେ ପ୍ରତିରୋଧକତା ସଂକ୍ରମଣ ଯୋଗୁ ପ୍ରାକୃତିକ ଉପାୟରେ ଶରୀରରେ ସୃଷ୍ଟି ହେଉ ବା ଟିକା ନେବା ଯୋଗୁ ସୃଷ୍ଟି ହେଉ । ଏହା ଫଳରେ କୋଭିଡ୍ ମହାମାରୀର ଅନ୍ତ ଘଟିବ ।
କ୍ଲୁଗ ପୁଣି କହିଛନ୍ତି ଯେ, କିଛିଦିନର ନିରବତା ପରେ ବର୍ଷ ଶେଷ ବେଳକୁ କୋଭିଡ୍-୧୯ ପୁଣି ଲେଉଟିପାରେ । ତେବେ ତା’ର ମାନେ ନୁହେଁ ଯେ, ଏହା ମହାମାରୀ ଆକାରରେ ଲେଉଟିବଛ ଆମେରିକା ସରକାରଙ୍କ ମୁଖ୍ୟ ମେଡିକାଲ ଉପଦେଷ୍ଟା ଡ. ଆଣ୍ଟୋନି ଫେସି ସମାନ ପ୍ରକାର ଆଶା ବ୍ୟକ୍ତ କରିଛନ୍ତି । ଆମେରିକାର କେତେକ ଅଞ୍ଚଳରେ ସଂକ୍ରମଣ କମୁଥିବା ବେଳେ ସାରା ଦେଶରେ କମିବା ପାଇଁ ଆଉ ଅଳ୍ପ ସମୟ ଲାଗିବ ବୋଲି ସେ କହିଛନ୍ତି ।