ଏଣିକି ବଜାରରେ ୪୨୫ ଟଙ୍କାରେ ଉପଲବ୍ଧ ହେବ କୋଭିଶିଲ୍ଡ ଓ କୋଭାକ୍ସିନ୍

ନୂଆଦିଲ୍ଲୀ ୨୭/୦୧: (ସଂକେତ୍ ଟିଭି) କରୋନା ଟିକା କୋଭିଶିଲ୍ଡ ଓ କୋଭାକ୍ସିନ୍ ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବ । ଏଥିପାଇଁ କରୋନାର ଉଭୟ ଟିକା କୋଭାକ୍ସିନ ଓ କୋଭିସିଲ୍ଡର ଦର ନିର୍ଦ୍ଧାରିତ ହୋଇଛି । ଡୋଜ ପିଛା ଦର ୨୭୫ ଟଙ୍କା ହୋଇଥିବାବେଳେ ଶୁଳ୍କ ବାବଦରେ ଆଉ ୧୫୦ ଟଙ୍କା ଅଧିକ ଦେବାକୁ ପଡିବ। ଅର୍ଥାତ ଏହି କରୋନା ଟିକା ମାତ୍ର ୪୨୫ ଟଙ୍କାରେ ବଜାରରେ ମିଳିବ ।

ଗୁରୁବାର ଦିନ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) କୋଭିଶିଲ୍ଡ ଏବଂ କୋଭାକ୍ସିନ ପାଇଁ ସର୍ତ୍ତମୂଳକ ବଜାର ଅନୁମୋଦନ ଦେଇଛି । କିନ୍ତୁ ଏହି ଟିକା ପ୍ରୟୋଗ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ପାଳନ କରିବାକୁ ପଡିବ ।

ଗୁରୁବାର ଦିନ ଏକ ବଡ ନିଷ୍ପତ୍ତି ନେଇ ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ପାଇଁ ସର୍ତ୍ତମୂଳକ ବଜାର ଅନୁମୋଦନ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଏକ ପ୍ରମୁଖ ବୈଠକରେ ଉଭୟ ପ୍ରମୁଖ ଟିକାକରଣର ମୂଲ୍ୟ ଉପରେ ଆଲୋଚନା କରାଯାଇଥିଲା । ଏହି ଟିକା ଯେପରି ସମସ୍ତଙ୍କ ନିକଟରେ ଉପଲବ୍ଧ ହୋଇପାରିବ ସେଥିଲାଗି ବି ଗୁରୁତ୍ୱ ଦିଆଯାଇଛି ।

ବର୍ତ୍ତମାନ ବିଭିନ୍ନ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କୋଭାକ୍ସିନର ଦର ୧୨ଶହ ଟଙ୍କା ରହିଥିବାବେଳେ କୋଭିସିଲ୍ଡର ଦାମ୍ ରହିଛି ୭୮୦ ଟଙ୍କା । ଏହି ଦୁଇ ଟିକାର ଦାମ ଯେପରି କମ୍ ରହିବ ସେଥିଲାଗି କାର୍ଯ୍ୟ କରିବା ସକାଶେ ଏନପିପିଏକୁ ନିର୍ଦ୍ଦେଶ ଦିଆଯାଇଥିଲା ।

କୋଭିସିଲ୍ଡର ବଜାର ପ୍ରବେଶ ନେଇ ଗତ ଅକ୍ଟୋବର ୨୫ ତାରିଖରେ ଡିସିଜିଆଇଙ୍କ ନିକଟରେ କମ୍ପାନୀର ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ଆବେଦନ କରିଥିଲେ । ସେହିପରି ଭାରତ ବାୟୋଟେକର ନିର୍ଦ୍ଦେଶକ ଭି.କ୍ରିଷ୍ଣମୋହନ ମଧ୍ୟ କୋଭାକ୍ସିନର ସବିଶେଷ ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିଥିଲେ ।