ସରୁଛି ରାମନାଥ କୋବିନ୍ଦଙ୍କ କାର୍ଯ୍ଯକାଳ, କିଏ ହେବେ ନୂଆ ରାଷ୍ଟ୍ରପତି ?

ନୂଆଦିଲ୍ଲୀ, ୨୭/୦୧: (ସଂକେତ ଟିଭି) ଆସନ୍ତୀ ୨୫ ଜୁଲାଇରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତେବେ ପରବର୍ତ୍ତି ରାଷ୍ଟ୍ରପତି କିଏ ହେବେ ତାନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନୂଆ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ଭାଜପା ଏବଂ ଆରଏସଏସ ମଧ୍ୟରେ ୪ ଜଣ ନାମ ବିଷୟରେ ସର୍ବାଧିକ ଆଲୋଚନା ହେଉଛି। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଗଭର୍ନର ଆନନ୍ଦୀ ବେନ ପଟେଲ, କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ, କର୍ନାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଏବଂ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ନାମ ରହିଛି।

ସୂଚନା ଅନୁସାରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରର ବିଧାନସଭା ନିର୍ବାଚନ ପରେ ନୂଆ ରାଷ୍ଟ୍ରପତି ଦୌଡ଼ରେ ଥିବା ନାମଗୁଡ଼ିକ ଉପରେ ମନ୍ଥନ ଆରମ୍ଭ ହେବ। ତେବେ ଏହି ଦୌଡରେ ଆନନ୍ଦୀବେନ ପଟେଲ ସବୁଠାରୁ ଆଗରେ ଅଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅତି ନିକଟତର। ଜଣେ ମହିଳାଙ୍କୁ ଦେଶର ପ୍ରଥମ ନାଗରିକ କରିବା ଲାଗି ଚର୍ଚ୍ଚା ହେଉଛି। ତେବେ ଆନନ୍ଦୀଙ୍କ ବୟସ ୮୦ ବର୍ଷରୁ ଅଧିକ ହୋଇଥିବାରୁ ତାଙ୍କ ନାମକୁ ନେଇ ସହମତି ହେବାରେ ବାଧା ସୃଷ୍ଟି ହେଉଛି।

ସେହିପରି ଏନଡିଏର ପ୍ରଥମ କାର୍ଯ୍ୟକାଳରେ ଭାଜପା ମିଜାଇଲ୍‌ ମ୍ୟାନ୍‌ ଅବଦୁଲ କଲାମଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା। ପୁଣି ଜଣେ ମୁସଲମାନମାନଙ୍କୁ ରାଷ୍ଟ୍ରପତି କରି ଭାଜପା ବିଶ୍ୱକୁ ଏକ ବାର୍ତ୍ତା ଦେବାକୁ ମଧ୍ୟ ପ୍ରୟାସ କରାଯାଉଥିବା ଚର୍ଚ୍ଚା ହେଉଛି। ଏକ୍ଷେତ୍ରରେ ଆରିଫ ମହମ୍ମଦ ଖାଁଙ୍କ ନାମକୁ ଚର୍ଚ୍ଚା ପରିସର ଭୁକ୍ତ କରାଯାଇଛି। କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ୟୁପିର ବୁଲନ୍ଦଶାହର ବାସିନ୍ଦା। ଶାହା ବାନୋ ମାମଲାରେ ରାଜୀବ ଗାନ୍ଧୀ ସରକାରରେ ଆରିଫ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଚର୍ଚ୍ଚାର ବିଷୟ ପାଲଟିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଦଳିତ ସମ୍ପ୍ରଦାୟରୁ ଆସିଥିବା ରାମ ନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି କରିଛନ୍ତି। ତେଣୁ ପୁଣିଥରେ ଏହି ଧାରା ଜାରି ରଖିବା ନେଇ ଆଲୋଚନା ହେଉଛି। ତେଣୁ ଥାୱରଚାନ୍ଦ ଗେହଲଟଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି।

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଆନ୍ଧ୍ରପ୍ରଦେଶରୁ ଆସିଛନ୍ତି ଏବଂ ଦୀର୍ଘ ଦିନ ଧରି ଭାଜପା ସହ ଜଡିତ ଅଛନ୍ତି। ନାଇଡୁ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ଥିଲେ। ସେ ପୂର୍ବାତନ ଅଟଳ ବିହାର ବାଜପେୟୀ ସରକାରରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ। ସେ ସହରାଞ୍ଚଳ ବିକାଶ, ଗୃହ, ସହରୀ ଦାରିଦ୍ର୍ୟ ଦୂରୀକରଣ, ସୂଚନା ପ୍ରସାରଣ ଏବଂ ମୋଦୀ ସରକାରରେ ସଂସଦୀୟ କାର୍ଯ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟ ତୁଲାଇଛନ୍ତି। ନାଇଡୁ ଅଗଷ୍ଟ ୨୦୧୭ ଠାରୁ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଛନ୍ତି। ନାଇଡୁଙ୍କୁ ରାଷ୍ଟ୍ରପତି କରି ଦକ୍ଷିଣ ଭାରତରେ ନିଜର ସ୍ଥିତିକୁ ଦୃଢ଼ କରିବା ପାଇଁ ବିଜେପି ଏକ ବଡ଼ ରାଜନୈତିକ ବାର୍ତ୍ତା ଦେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।