ପ୍ଲାଟୋ ସ୍ଥିତିରେ ରହିଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ, ୨ ୮/୦୧: (ସଂକେତ ଟିଭି) ଦେଶରେ ଏବେ କୋଭିଡ୍ ସଂକ୍ରମଣ ପ୍ଲାଟୋ ସ୍ଥିତିରେ ପହଞ୍ଚିଥିବା ଜଣାପଡୁଛି । ଯେଉଁ ସଂକ୍ରମଣର ହାର ରହିଛି ତାହାକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ, ସଂକ୍ରମଣର ସ୍ଥିତି ଏବେ ପ୍ଲାଟୋ ସ୍ଥିତିରେ ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।
କର୍ଣ୍ଣାଟକ, କେରଳ, ତାମିଲନାଡୁ, ଗୁଜରାଟ, ଆନ୍ଧ୍ର, ରାଜସ୍ଥାନରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । ଅପରପକ୍ଷରେ କୋଭିଡ୍ ସଂକ୍ରମଣ ଓ ପଜିଟିଭ୍ ହାର ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡ଼ିଶା, ହରିୟାନାରେ ହ୍ରାସ ପାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ସଂକ୍ରମଣର ଧାରାରୁ ଏହା ସ୍ପଷ୍ଟ ହୋଇଛି ଯେ, ଆକ୍ରାନ୍ତଙ୍କ କ୍ଷେତ୍ରରେ ଅକ୍ସିଜେନ୍ ସହାୟତା ଓ ଆଇସିୟୁ ଶଯ୍ୟାର ଆବଶ୍ୟକତା କମ୍ ରହିଛି । ସେହିଭଳି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଓ ମୃତୁ୍ୟହାର ମଧ୍ୟ ବର୍ତ୍ତମାନ ଦେଖାଦେଇଥିବା ଲହରରେ ଅନ୍ୟ ଲହର ତୁଳନାରେ କମ୍ ରହିଛି ।
ତେବେ କୋଭିଡ୍ ପରିଚାଳନା ବ୍ୟବହାରରେ କୌଣସି ଢିଲା ନହେବା ପାଇଁ ସେ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି ଯେ, ୪୦ ଜିଲ୍ଲାରେ ସାପ୍ତାହିକ ପଜିଟିଭ୍ ହାର ୧୦%ରୁ ଅଧିକ ଥିଲାବେଳେ ୧୪୧ଜିଲ୍ଲାରେ ୫ରୁ ୧୦ % ରହିଛି । ଜାନୁଆରୀ ୨୬ ସୁଦ୍ଧା ଏହି ତଥ୍ୟ ମିଳିଛି ।
ଓମିକ୍ରନ ଭାରିଆଣ୍ଟ ସମ୍ପର୍କରେ ସେ କହିଛନ୍ତି ଯେ, ଡିସେମ୍ବରରେ ଜେନମ୍ ସିକୁ୍ୟଏନ୍ସି ଦ୍ୱାରା ୧୨୯୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜାନୁଆରୀରେ ଏହା ୯୬୭୨ରେ ପହଞ୍ଚିଲା । ୧୦ ରାଜ୍ୟରେ ସମୁଦାୟ ସକ୍ରିୟ ସଂକ୍ରମଣର ୭୭% ରହିଛନ୍ତି । ୧୧ରାଜ୍ୟରେ ୫୦ ହଜାରରୁ ଅଧିକ କୋଭିଡ୍ ର ସକ୍ରିୟ ସଂକ୍ରମିତ ଅଛନ୍ତି ।
ତେବେ କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳରେ ୩ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି । କୋଭିଡ୍ ଏବେ ପ୍ଲାଟୋ ସ୍ଥିତିରେ ଥିବାର ପୂର୍ବ ସୂଚନା ମିଳିଛି । ଏହା କେତେକ ସ୍ଥାନରେ ରହିଛି । ଏହି ଧାରାକୁ ଅନୁଧ୍ୟାନ କରିବାକୁ ପଡିବ ଓ ସାବଧାନତା ଜାରି ରଖିବାକୁ ପଡିବ । ୯୭.୦୩ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇସାରିଛି । ସେହିଭଳି ୧୫ରୁ ୧୮ବର୍ଷ ବର୍ଗଙ୍କ ମଧ୍ୟରେ ୫୯%କୁ ପ୍ରଥମ ଡୋଜ୍ ର ଟିକା ଦିଆଯାଇ ସାରିଲାଣି ।