୫୦ ବର୍ଷ ପରେ ଇମାମି ପରିଚାଳନାରେ ପରିବର୍ତ୍ତନ, ପଦ ଛାଡିଲେ ପ୍ରତିଷ୍ଠାତା

କୋଲକାତା, ୦୫/୦୨: (ସଂକେତ ଟିଭି) କସମେଟିକ୍ କମ୍ପାନୀ ଇମାମି ଲିମିଟେଡର ପରିଚାଳନାରେ ବଡ଼ ପରିବର୍ତ୍ତନ ହୋଇଛି । କମ୍ପାନୀର ଦାୟିତ୍ୱ ଭାର ପରବର୍ତ୍ତୀ ପିଢିକୁ ହସ୍ତାନ୍ତର କରାଯିବ । ଅର୍ଥାତ୍, ଇମାମି ପ୍ରତିଷ୍ଠାତା ଆର.ଏସ୍ ଗୋଏଙ୍କା ଏବଂ ଆରଏସ୍ ଅଗ୍ରୱାଲ୍ ଇସ୍ତଫା ଦେବେ । ସେହିଭଳି ସୁଶୀଲ କେ ଗୋଏଙ୍କା ଇମାମି ଲିମିଟେଡର ପରିଚାଳନା ନିର୍ଦେଶକ ପଦରୁ ଇସ୍ତଫା ଦେବେ । ନୂଆପିଢ଼ିଙ୍କୁ ମୁଖ୍ୟ ଆସନ ଦେଇ ସେମାନେ ପରାମର୍ଶଦାତା ଭାବରେ ରହିବେ ।

ଗୁରୁବାର ଅନୁଷ୍ଠିତ କମ୍ପାନିର ବୋର୍ଡ ବୈଠକରେ ପ୍ରତିଷ୍ଠାତା ଆରଏସ୍ ଅଗରୱାଲ ଏବଂ ଆରଏସ୍ ଗୋଏଙ୍କା କାର୍ଯ୍ୟନିର୍ବାହୀ ପଦରୁ ଇସ୍ତଫା ଦେବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ଶ୍ରୀ ଅଗରୱାଲ୍ କମ୍ପାନିର ଅଧ୍ୟକ୍ଷ ଥିବାବେଳେ ଶ୍ରୀ ଗୋଏଙ୍କା ନିର୍ଦେଶକ ରହିଛନ୍ତି । ଶ୍ରୀ ଗୋଏଙ୍କାଙ୍କୁ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏବଂ ଶ୍ରୀ ଅଗରୱାଲଙ୍କୁ ସେବାନିବୃତ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବାପାଇଁ ବୋର୍ଡ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛି ।

୨୦୨୨ ଏପ୍ରିଲ ପହିଲାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ । ଏଥିସହିତ ବୋର୍ଡ ପକ୍ଷରୁ ଶ୍ରୀ ଗୋଏଙ୍କାଙ୍କ ବଡପୁଅ ମୋହନ ଗୋଏଙ୍କା ଏବଂ ଶ୍ରୀ ଅଗରୱାଲଙ୍କ ସାନପୁଅ ହର୍ଷ ଅଗରୱାଲଙ୍କୁ ଯଥାକ୍ରମେ ଉପାଧ୍ୟକ୍ଷ ତଥା ପୂର୍ଣ୍ଣକାଳୀନ ନିର୍ଦେଶକ ଏବଂ ଉପଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକଭାବେ ନିଯୁକ୍ତି ଦିଆଯାଇଛି ।

ବୋର ପ୍ଲସ୍ ଏବଂ ଝଣ୍ଡୁ ବାମ୍ ପରି ବ୍ରାଣ୍ଡର କମ୍ପାନୀ ହେଉଛି ଇମାମି । ଏହା ଏକ ଭାରତୀୟ ବହୁରାଷ୍ଟ୍ରୀୟ ସମ୍ମିଳନୀ ଯାହାକି କୋଲକାତାରେ ଅବସ୍ଥିତ । ୬୦ ରୁ ଅଧିକ ଦେଶରେ କମ୍ପାନୀର ଉତ୍ପାଦ ବିକ୍ରି ହେଉଛି । ୧୯୭୦ରେ କମ୍ପାନୀ ଗଠନ କରାଯାଇଥିଲା । ଦୁଇ ଘନିଷ୍ଠ ବନ୍ଧୁ ସେମାନଙ୍କ କର୍ପୋରେଟ୍ ଚାକିରି ଛାଡିବା ପରେ କୋଲକାତାର ଏକ କସମେଟିକ୍ ଉତ୍ପାଦନ ୟୁନିଟ୍ ସହିତ ଏହା ଆରମ୍ଭ ହୋଇଥିଲା ।