ମୁକେଶ ଅମ୍ବାନି କିଣିଲେ ୧୩ କୋଟିର ରୋଲ୍ସ ରୟେସ୍ କାର୍

ମୁମ୍ବାଇ, ୦୭/୦୨: (ସଂକେତ ଟିଭି) ଆଉ ଏକ ରୋଲ୍ସ ରୟେସ୍ କାର କିଣିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନି । ଏହି ବିଳାସପୂର୍ଣ୍ଣ ଗାଡ଼ିର ମୂଲ୍ୟ ୧୩.୧୪ କୋଟି ଟଙ୍କା ରହିଛି । ଦେଶରେ ସେଲିବ୍ରିଟି ଓ ଭିଆଇପିମାନେ ଚଲାଉଥିବା ଦାମୀ କାର ମଧ୍ୟରେ ଏହା ଅନ୍ୟତମ । ରୋଲସ ରୟେସ କଲିନାନ୍ ପେଟ୍ରୋଲ ମଡେଲ ହ୍ୟାଚବ୍ୟାକ୍ ଗାଡ଼ିଟି ରିଲାଏନ୍ସ ପକ୍ଷରୁ ଦକ୍ଷିଣ ମୁମ୍ବାଇର ଟାରଡିଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଗତମାସ ୩୧ ତାରିଖରେ ପଞ୍ଜୀକୃତ ହୋଇଛି ।

ସେହି କାରର୍ ମୂଳ ମୂଲ୍ୟ ୬.୯୫ କୋଟି । କିନ୍ତୁ ଅଟୋ ଶିଳ୍ପ ବିଶେଷଜ୍ଞଙ୍କ କହିବାନୁଯାୟୀ ମୁକେଶ ଏଥିରେ ନିଜର ଆବଶ୍ୟକତା ଅନୁଯାୟୀ କେତେକ ପରିବର୍ତ୍ତନ ଆଣିଛନ୍ତି । ତେଣୁ କାରର ମୂଲ୍ୟ ବଢ଼ିଯାଇଛି । ଏଥିସହିତ ମୁକେଶ ଉକ୍ତ କାର ପାଇଁ ଏକ ସ୍ୱତନ୍ତ୍ର ନମ୍ବର ନେଇଛନ୍ତି । ଏବାବଦରେ ମଧ୍ୟ ତାଙ୍କୁ ମୋଟା ଅଙ୍କର ଅର୍ଥ ଦେବାକୁ ପଡ଼ିଛି । ଯାହା ଫଳରେ ଗାଡିର ଦାମ୍ ବଢି ଯାଇଥିବା ଜଣାପଡିଛି ।