ସୁନ୍ଦରଗଡ ଏଡିଏମଙ୍କ ୨ କୋଟିର ବ୍ୟାଙ୍କ ଜମା ସହ ୩୫୦ ଗ୍ରାମ୍ ସୁନା ଜବତ

କଟକ, ୧୨/୦୨: (ସଂକେତ ଟିଭି) ଚାକିରିରୁ ଅବସର ନେବାର ୧୮ ଦିନ ପୂର୍ବରୁ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଡିଏମ୍ ଶ୍ରୀ ମହାପାତ୍ରଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରହିଥିବା ବେଳେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨ କୋଟି ଟଙ୍କାର ବ୍ୟାଙ୍କ ଏଫଡି, ସଞ୍ଚୟ ଟଙ୍କା ଓ ଜୀବନ ବୀମା ପଲିସି ଥିବା ଜଣାପଡ଼ିଛି ।

ଭିଜିଲାନ୍ସ ଟିମ୍ ୩୫୦ ଗ୍ରାମ୍ ଓଜନର ସୁନାଗହଣା ଜବତ କରିଥିବା ବେଳେ ୧୮ ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ୍ ଡିପୋଜିଟ ଥିବା ଜାଣିବାକୁ ପାଇଛି । ଶ୍ରୀ ମହାପାତ୍ରଙ୍କ ସପତ୍ତି ଆହୁରି ରହିଛି । ତାଙ୍କ ସ୍ତ୍ରୀଙ୍କ ନାଁରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଠାରେ ଏକ ସିମେଣ୍ଟ ଗୋଦାମ ପରିଚାଳିତ ହେଉଛି । ତେବେ ତଦନ୍ତ ସରିବା ପରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏକକାଳୀନ ଭାବେ ଓଡ଼ିଶା ଭିଜିଲାନ୍ସ ଟିମ୍ ସୁନ୍ଦରଗଡ଼ ସରକାରୀ ବାସଭବନ ଓ ଅଫିସ ସହ ଖୋର୍ଦ୍ଧା, ଜିଲ୍ଲାର ବିଭିନ୍ନ ସ୍ଥାନ ଏବଂ ଜଗତସିଂହପୁର ରେଢୁଆସ୍ଥିତ ପୈତୃକ ଘରେ ଚଢଉ କରିଛନ୍ତି । ଭୁବନେଶ୍ୱରର ରୁଦ୍ରପୁର, ବାଲିଅନ୍ତାରେ ଘର, ନୟାପଲ୍ଲୀରେ ଫ୍ଲାଟ୍, ଜଗତସିଂହପୁର ଜିଲ୍ଲାର ରେଢୁଆସ୍ଥିତ ପୈତୃକ ଘର ଓ ମଣିଜଙ୍ଗା ଜଡାତିରାରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଏହାଛଡ଼ା ରାଜଗାଙ୍ଗପୁର ଓସିଏଲ କମ୍ପ୍ଲେକ୍ସଠାରେ ସମ୍ପର୍କୀୟଙ୍କ ଘରେ ବି ଚଢ଼ାଉ ଜାରି ରହିଛି ।

ତାଙ୍କ ନାଆଁରେ ଆଗରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଦୁର୍ନୀତି ଅଭିଯୋଗ ଥିବା ଜଣାଯାଇଛି । ଭୁବନେଶ୍ୱର ଓ ଜଗତସିଂହପୁରରେ ୧୦ଟି ପ୍ଲଟ୍ ଠାବ ହୋଇଛି । ସୁନ୍ଦରଗଡ, ଜଗତସିଂହପୁର, ଖୋର୍ଦ୍ଧାରେ କେବଳ ପ୍ଲଟ୍ ନୁହେଁ ବିଶାଳ ଘର ମଧ୍ୟ ନିର୍ମାଣ କରାଯାଇଛି । ନହରକଣ୍ଟାରେ ଠାବ ହୋଇଥିବା ଘରର ମୂଲ୍ୟ ୮୯ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି । ରସୁଲଗଡ ଏସିଆନାରେ ଫ୍ଲାଟ୍, ବାଲିଅନ୍ତା ଜୋହଳଠାରେ ଥିବା ଜମିର ଏରିଆ ୮୫୦ ଡିସିମିଲି ସେହିପରି ଜଟଣୀ ଉତ୍ତରମୁଣ୍ଡ ମୁହାଁଣରେ ୯୩୦ ଡିସିମିଲି ଜମି ରହିଛି । ଜଗତସିଂହପୁରର ରଘୁନାଥପୁରରେ ୭୭ଡିସିମିଲି ଜମି, ଜଗନ୍ନାଥପୁରରେ ୧୪ଡିସିମିଲି, ୬ ଡିସିମିଲି, ୩୭ ଡିସିମିଲି, ୪୧ ଡିସିମିଲି ଜମି ଠାବ ହୋଇଛି । ଜଗତସିଂହପୁର ରେଢୁଆରେ ୩ ଡିସିମିଲି ଜମି ଠାବ କରିଛି ଭିଜିଲାନ୍ସ । ୩ଟି ଜିଲ୍ଲାରେ ଚଢାଉ ଜାରି ରହିଥିବାରୁ କୋଠା, ଜମି, ସୁନା ସମେତ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ କେତେକୋଟି ଟଙ୍କା ହେବ ତାହା ଭିଜିଲାନ୍ସ ସ୍ଥିର କରିନାହିଁ ।