ସରକାରୀ ଡାକ୍ତରଙ୍କ ଘରୁ ବାହାରିଲା ନଗଦ କୋଟିଏ ୧୨ ଲକ୍ଷ ଟଙ୍କା

ଭୁବନେଶ୍ବର, ୧୭/୦୨: (ସଂକେତ ଟିଭି) ସରକାରୀ ଡାକ୍ତରଙ୍କ ଘରୁ ବାହାରିଲା ନଗଦ କୋଟିଏ ଟଙ୍କାରୁ ଅଧିକ ଟଙ୍କା । ଲାଞ୍ଚ ନେଇ ଧରାପଡିବା ପରେ ଭିଜିଲାନ୍ସ ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ କୁମାର ଜେନାଙ୍କ ଭୁବନେଶ୍ବରସ୍ଥିତ ଘରେ ଚଢାଉ କରିଥିଲା । ଚଢାଉ ସମୟରେ ତାଙ୍କ ଘରୁ ନଗଦ କୋଟିଏ ୧୨ ଲକ୍ଷ ଟଙ୍କା ଜବତ ହୋଇଛି । ଏତେ ଟଙ୍କା ନଗଦ ଆକାରରେ ଜବତ ହେବା ରାଜ୍ୟ ଭିଜିଲାନ୍ସ ଇତିହାସରେ ପ୍ରଥମ ବୋଲି ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି। ଚଢ଼ଉ ଜାରି ରହିଛି।

ସୂଚନା ଅନୁସାରେ, କୋଣାର୍କ ଅଞ୍ଚଳର ଜଣେ ପ୍ରସୂତିଙ୍କ ଅସ୍ତ୍ରୋପଚାର କରିବା ପାଇଁ ବୁଧବାର ଦିନ ୩ ହଜାର ଟଙ୍କା ଲା‌ଞ୍ଚ ନେଉଥିବା ବେଳେ ଡାକ୍ତର ଜେନା ଭିଜିଲାନ୍‌ସ ହାତରେ ଧରାପଡ଼ିଥିଲେ। ଡାକ୍ତର ଜେନା ଅସ୍ତ୍ରୋପଚାର କରିବା ପାଇଁ ମହିଳାଙ୍କ ସଂପର୍କୀୟଙ୍କଠାରୁ ମୋଟ ୮ ହଜାର ଟଙ୍କା ଦାବି କରିଥିଲେ। ପୂର୍ବରୁ ୫ ହଜାର ଟଙ୍କା ନେଇ ସାରିଥିଲେ। ଆଜି ଅବଶିଷ୍ଟ ୩ ହଜାର ଟଙ୍କା ନେଉଥିବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ତାଙ୍କୁ ଧରିଥିଲେ। ଏହା ପରେ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।