କମ୍ପାନୀରୁ ଟଙ୍କା ଚୋରି କରୁଥିଲେ ଅଶନୀର ଗ୍ରୋଭର: ଭାରତ ପେ

ନୂଆଦିଲ୍ଲୀ ୦୩।୦୩: (ସଂକେତ ଟିଭି) ଭାରତ ପେ’ର ସହ ପ୍ରତିଷ୍ଠାତା ପଦରୁ ଅଶନୀର ଗ୍ରୋଭର ଇସ୍ତଫା ଦେବାପରେ ତାଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ବୁଧବାର ଭାରତୀୟ ଫିଣ୍ଟେକ୍ କମ୍ପାନି ଭାରତ ପେ’ ଅଶନୀରଙ୍କୁ ହଟାଇବାର ପ୍ରକୃତ କାରଣ ଜଣାଇଛି । ଗ୍ରୋଭରଙ୍କୁ ବୋର୍ଡର ନିର୍ଦ୍ଦେଶକ ପଦବୀ ସମେତ କମ୍ପାନିର ସମସ୍ତ ପଦବୀରୁ ହଟାଇ ଦିଆଯାଇଛି ବୋଲି କହିଛି ଭାରତପେ ।

ଅଶନୀର ଗ୍ରୋଭର ଏବଂ ତାଙ୍କ ପରିବାର କମ୍ପାନିର ପାଣ୍ଠିକୁ ଅପବ୍ୟବହାର କରିଥିବା ଅଭିଯୋଗ କରିଛି ଭାରତପେ । ଏକ ବିବୃତିରେ କମ୍ପାନି କହିଛି ଯେ ସ୍ୱାଧୀନ ବାହ୍ୟ ପରାମର୍ଶଦାତାଙ୍କ ଦ୍ୱାରା କମ୍ପାନିର ଆଭ୍ୟନ୍ତରୀଣ ରେକର୍ଡଗୁଡିକ ସମୀକ୍ଷା କରାଯିବ ବୋଲି ଶୁଣିବା ମାତ୍ରେ ଅଶନୀର ଗ୍ରୋଭର ତାଙ୍କ ଇସ୍ତଫା ଦାଖଲ କରିଛନ୍ତି ।

ବୋର୍ଡକୁ ଏକ ଇମେଲ ପଠାଇ ତାଙ୍କ ଇସ୍ତଫା ପତ୍ର ଦାଖଲ କରିବା ଏବଂ ଘଟଣାଗୁଡ଼ିକର ଅନ୍ୟ ଏକ ମିଥ୍ୟା କାହାଣୀକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରି ଅଶନୀର ଗ୍ରୋଭର ଶୀଘ୍ର ଖସିଯିବାକୁ ଚେଷ୍ଟା କରିଛନ୍ତି । ଶ୍ରୀ ଗ୍ରୋଭରଙ୍କ ଏଭଳି ମିଥ୍ୟା କହିବା ଏବଂ ଭିତ୍ତିହୀନ ଅଭିଯୋଗ ଓ ଧମକକୁ ନେଇ କମ୍ପାନି ଦୃଢ଼ ଆପତ୍ତି ଉଠାଇଛି ।

ବିବୃତିରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ଗ୍ରୋଭର ପରିବାର ଏବଂ ସେମାନଙ୍କର ସମ୍ପର୍କୀୟମାନେ କମ୍ପାନି ପାଣ୍ଠିର ବ୍ୟାପକ ଅପବ୍ୟବହାରରେ ନିୟୋଜିତ ଥିଲେ । ଖାଲି ସେତିକି ନୁହେଁ, ନକଲି ବିକ୍ରେତା ସୃଷ୍ଟି କରି ଏହା ମାଧ୍ୟମରେ ସେମାନେ କମ୍ପାନିର ଖର୍ଚ୍ଚ ପାଇଁ ରଖାଯାଇଥିବା ଆକାଉଣ୍ଟରୁ ଟଙ୍କା ଉଠାଇଥିଲେ ।