ଫ୍ଯୁଚର ରିଟେଲ୍‌ ଷ୍ଟୋର୍‌ର ୩୦ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେବ ରିଲାଏନ୍ସ

ଭୁବନେଶ୍ବର ୦୪।୦୩: (ସଂକେତ ଟିଭି) ଆର୍ଥିକ ପରିସ୍ଥିତି ଦେଇ ଗତି କରୁଥିବା ଫ୍ଯୁଚର୍‌ ରିଟେଲ୍‌ ପକ୍ଷରୁ ଷ୍ଟୋର୍‌ ଲିଜ୍‌ ଦେୟ ପ୍ରଦାନ କରାଯାଇନଥିବା ଶତାଧିକ ଷ୍ଟୋର୍‌ ରିଲାଏନ୍ସ ନିଜ ନିୟନ୍ତ୍ରଣକୁ ନେବା ପରେ ସେହି ଷ୍ଟୋର୍‌ଗୁଡ଼ିକ ସହିତ ସାମିଲ୍‌ ରହିଥିବା ବ୍ୟବସାୟ ସହଯୋଗୀ, ଗୃହ / କୋଠା ମାଲିକ, ସାମଗ୍ରୀ ଓ ସେବା ଯୋଗାଣକାରୀ ଏବଂ କର୍ମଚାରୀମାନେ ଆଶ୍ୱସ୍ତ ହୋଇଛନ୍ତି ।

ଫ୍ଯୁଚର ରିଟେଲ୍‌ର ଷ୍ଟୋର୍‌ ଓ ଅନଲାଇନ୍‌ କାରବାର ସଙ୍କୁଚିତ ହେବା ପରେ ସେଥିରେ କାମ କରୁଥିବା ହଜାର ହଜାର କର୍ମଚାରୀମାନଙ୍କ ଚାକିରି ପ୍ରତି ସଙ୍କଟ ଦେଖାଦେଇଥିଲା। ତେବେ ଯେଉଁ ଷ୍ଟୋର୍‌ଗୁଡ଼ିକରେ ରିଲାଏନ୍ସ ରିଟେଲ୍‌ ଏହାର ବ୍ରାଣ୍ଡିଂ ଆରମ୍ଭ କରିଛି ସେଗୁଡ଼ିକୁ ଆଉ ଫ୍ଯୁଚର ଗ୍ରୁପ୍‌ ଚଲାଇବ ନାହିଁ। ସେହି ଷ୍ଟୋର୍‌ଗୁଡ଼ିକର ଲିଜ୍‌ ରିଲାଏନ୍ସ ନାମରେ ରହିଛି।

ଏହି ଷ୍ଟୋର୍‌ ଗୁଡିକରେ କାମ କରୁଥିବା କର୍ମଚାରୀମାନଙ୍କୁ ରିଲାଏନ୍ସ ନିଯୁକ୍ତି ପ୍ରସ୍ତାବ ଦେଇଥିବାରୁ ବହୁ ଦିନ ଧରି ନିଜ ଚାକିରିକୁ ନେଇ ସନ୍ଦିହାନ ଥିବା କର୍ମଚାରୀମାନେ ଏବେ ଆଶ୍ୱସ୍ତ ହୋଇଛନ୍ତି। ଏହିସବୁ ଷ୍ଟୋର୍‌ରେ କାମ କରୁଥିବା ପ୍ରାୟ ୩୦ ହଜାର କର୍ମଚାରୀମାନଙ୍କୁ ରିଲାଏନ୍ସ ପକ୍ଷରୁ ନିଯୁକ୍ତି ପ୍ରସ୍ତାବ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ରବିବାର ଠାରୁ ଫ୍ଯୁଚର ରିଟେଲ୍‌ର ଅଧିକାଂଶ ଷ୍ଟୋର୍‌ରେ ତାଲା ପଡ଼ିଛ । ଅନ୍‌ଲାଇନ୍‌ କାରବାର ମଧ୍ୟ ବନ୍ଦ ରହିଛି, ଯାହା ଫଳରେ ଏଠାରେ କାମ କରୁଥିବା ହଜାର ହଜାର କର୍ମଚାରୀଙ୍କ ଚାକିରି ପ୍ରତି ସଙ୍କଟ ଦେଖାଦେଇଛି। ଏଭଳି ଏକ ଗମ୍ଭୀର ସମୟରେ ରିଲାଏନ୍ସ ନିଜ ନିୟନ୍ତ୍ରଣକୁ ନେଇଥିବା ଷ୍ଟୋର୍‌ଗୁଡ଼ିକର କର୍ମଚାରୀ ତଥା ବ୍ୟବସାୟ ସହଯୋଗୀ ମାନେ ଆଶ୍ୱସ୍ତ ହୋଇଛନ୍ତି। ସେହି ଷ୍ଟୋର୍‌ଗୁଡ଼ିକ ଆଗକୁ ରିଲାଏନ୍ସ ଦ୍ୱାରା ପରିଚାଳିତ ହେବ।

ଫ୍ଯୁଚର ରିଟେଲ୍‌ରେ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ଶାନ୍ତନୁ କର ମଧ୍ୟ ସମସ୍ତ କର୍ମଚାରୀଙ୍କ ଭଳି କିଛି ମାସ ଧରି ନିଜ ଚାକିରି ନେଇ ଆଶଙ୍କିତ ରହିଥିଲେ। ତେବେ ରିଲାଏନ୍ସର ନିଯୁକ୍ତି ପ୍ରସ୍ତାବ ଗ୍ରହଣ କରି ରିଲାଏନ୍ସ ରିଟେଲ୍‌ ପେ-ରୋଲ୍‌ ରେ ସଦ୍ୟ ଯୋଗ ଦେଇଥିବା ଶାନ୍ତନୁ କହିଛନ୍ତି ଯେ, ‘କିଛି ମାସ ଧରି ଚାକିରି ନେଇ ଅନିଶ୍ଚିତତା ଓ ମାନସିକ ଚାପ ଲାଗି ରହିଥିଲା ଏବଂ ଭବିଷ୍ୟତରେ କ’ଣ କରିବି କିଛି ଭାବି ପାରୁନଥିଲି। ତେବେ ହଠାତ ରିଲାଏନ୍ସ ରିଟେଲ୍‌ ଏହି ଷ୍ଟୋର ପରିଚାଳନା ଦାୟିତ୍ୱ ନିଜ ହାତକୁ ନେବା ସହ ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ପ୍ରସ୍ତାବ ଦେବା ପରେ ଆମେ ସମସ୍ତେ ଏବେ ବେଶ୍‌ ଖୁସି ଓ ଆଶ୍ୱସ୍ତ ଅନୁଭବ କରୁଛୁ।