ପୂର୍ବତନ କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ, କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗ

ଭବାନୀପାଟଣା ୦୭।୦୩ : (ସଂକେତ ଟିଭି) କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଓ ମହାବିଦ୍ୟାଳୟରେ କୋଟିକୋଟି ଟଙ୍କା ହେରଫେର ଅଭିଯୋଗରେ ଏହି ଚଢାଉ କରାଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଆଜି ସକାଳ ଛଅଟାରେ ରମେଶ ସାହୁଙ୍କ ବିଶ୍ୱନାଥପୁର ସ୍ଥିତ ବାସଭବନରେ ଚଢାଉ କରାଯାଇଥିବା ବେଳେ ତାଙ୍କ ଭୁବନେଶ୍ୱର ଆର୍ଯ୍ୟ ଭିଲେଜ ସ୍ଥିତ ବାସଭବନ ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା କ୍ରସର ଉପରେ ମଧ୍ୟ ଭିଜିଲାନ୍ସର ଟିମ୍ ଚଢାଉ କରିଛି।

ରମେଶ ବିଶ୍ୱନାଥପୁର ସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ଥିଲେ । ଏହି ସମୟରେ ମହାବିଦ୍ୟାଳୟର କୋଟି କୋଟି ଟଙ୍କା ଚଳୁ କରିଥିବା ସହିତ ଚାକିରି କରାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ।

ଏପରିକି ଅଭିଯୋଗ ପରେ ସେ ଫେରାର ହୋଇଯାଇଥିଲେ । ପରେ ପୋଲିସ ହାତରେ ଧରାପଡି ଜେଲ ଯାଇଥିଲେ । ସେହିଦିନଠାରୁ ତାଙ୍କର ପତ୍ନୀଙ୍କ ନାମରେ ଥିବା ବେନାମୀ ସମ୍ପତ୍ତି ଭିଜିଲାନ୍ସ ସ୍କାନର ରହିଥିଲା ।