ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରୁ ନଗଦ ୧କୋଟି ୩୬ଲକ୍ଷ ଟଙ୍କା ଜବତ

ଭୁବନେଶ୍ବର ୨୮/୦୩: (ସଂକେତ ଟିଭି) ମାଲକାନଗିରିର ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାଶଙ୍କ ଘରୁ ଭିଜିଲାନ୍ସ ନଗଦ ୧ କୋଟି ୩୬ ଲକ୍ଷ ନଗଦ ଟଙ୍କା ଜବତ କରିଛି । ଏହା ସହିତ ୧ କିଲୋ ୨୦୦ ଗ୍ରାମ ସୁନା ସହ ୪ କୋଟି ଟଙ୍କାର ଡିପୋଜିଟ ଜବତ କରାଯାଇଛି । ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ ଜଳକା ହୋଇଯାଇଛି ।

ସଚନା ଅନୁସାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାଶଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା । ଏହି ରେଡ୍ ଆଜି ଚତୁର୍ଥ ଦିନ ପାଇଁ ଜାରି ରହିଛି । ରେଡ ସମୟରେ ଆଶିଷଙ୍କ ଘରୁ ୧ କୋଟି ୩୬ ଲକ୍ଷ ନଗଦ ଟଙ୍କା, ୧ କିଲୋ ୨୦୦ ଗ୍ରାମ ସୁନା ସହ ୪ କୋଟି ଟଙ୍କାର ଡିପୋଜିଟ ଜବତ କରିଛି ଭିଜିଲାନ୍ସ । ଆକ୍ସିସ ବ୍ୟାଙ୍କରେ ୨୦୨୧ ମାର୍ଚ୍ଚ ୧୮ରୁ ୨୦୨୨ ଫେବ୍ରୁଆରି ୧୦ ତାରିଖ ମଧ୍ୟରେ ୧୮ ଟି ଫିକ୍ସ ଜମାରେ ୭୮ ଲକ୍ଷ ଟଙ୍କା ଜମା ରହିଛି। ସେଥିମଧ୍ୟରୁ ଆଶିଷ ଦାଶଙ୍କ ନାଁରେ ୧୮ ଲକ୍ଷ, ତାଙ୍କ ପତ୍ନୀଙ୍କ ନାରେ ୨୦ ଲକ୍ଷ, ପୁଅ ନାଁରେ ୧୫ ଲକ୍ଷ, ଅନ୍ୟ ସମ୍ପର୍କୀୟ ଓ ବେନାମୀ ୨୫ ଲକ୍ଷ ଜମା କରଯାଇଛି।

ଏଲଆଇସି ଓ ମାକ୍ସ ଲାଇଫ ଇନ୍ସୁରାନ୍ସରେ ୪୪ ଲକ୍ଷ ଜମା ଦେଇଥିବା ଜଣାପଡିଛି। ୟୁନିଟ ଟ୍ରଷ୍ଟ ଅଫ ଇଣ୍ଡିଆରେ ୨୫ ଲକ୍ଷ ଟଙ୍କାର ନିବେଶ ଥିବାବେଳେ କେଉଁଝର ଏସବିଆଇ ଶାଖାରେ ୧୬ ଲକ୍ଷ ଟଙ୍କା ଜମା ରହିଛି। ଦେଢ଼ ଲକ୍ଷ ଟଙ୍କାର କିଷାନ ବିକାଶ ପତ୍ର ସହ ବିଭିନ୍ନ ବ୍ୟାଙ୍କର ବହୁ କାଗଜପତ୍ର ଜବତ କରିଛି ଭିଜିଲାନ୍ସ। ପୂର୍ବରୁ ୨୧ ଲକ୍ଷ ୭୫ ହଜାର ଟଙ୍କାର ନଗଦ ଟଙ୍କା ସହ ୬୦୨ ଗ୍ରାମର ସୁନା ଅଳଙ୍କାର ଠାବ କରିବା ସହ କଟକରେ ଏକ ଫ୍ଲାଟ ଓ କେଉଁଝରରେ ଏକ ପ୍ଲଟ ଥିବା ଭିଜିଲାନ୍ସ ଖବର ପାଇଛି।