ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ

ଭୁବନେଶ୍ବର ୨୮/୦୩: (ସଂକେତ ଟିଭି) ନୟାଗଡ଼ର ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଭଦ୍ରକ ଜିଲ୍ଲାର ନଳାଙ୍ଗ ଅଞ୍ଚଳରୁ ସୋମବାର ସକାଳେ ଗିରଫ କରାଯାଇଛି। ତାଙ୍କ ସହିତ ତାଙ୍କ ସହଯୋଗୀ ଝୁନା ଭୋଇକୁ ବି ଗିରଫ କରାଯାଇଛି ।

ଗତ ୬ ତାରିଖରେ ଶର୍ମିଷ୍ଠା ଓ ତାର ୫ ଜଣ ସହଯୋଗୀ ଏକ କାର ଯୋଗେ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ ଅପହରଣ କରିବା ପାଇଁ ଭୁବନେଶ୍ବରରୁ ଚାନ୍ଦବାଲି ଆସିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ନାଲଗୁଣ୍ଡା ଗ୍ରାମର ଦଧିବାମନ କ୍ଲବ ଛକରୁ ମାନସକୁ ସେମାନେ ଅପହରଣ କରି ନେଇଥିଲେ। ଏଇ ଅଞ୍ଚଳର ପଳାସପୁର ଗ୍ରାମରେ ହୋଇଥିବା ଏକ ବାହାଘରକୁ ଫଟୋ ଉଠାଇବାକୁ ଆସିଥିବା ମାନସକୁ ନାଟକୀୟ ଢଙ୍ଗରେ ଅପହରଣ କରିଥିବା ନେଇ ସ୍ଥାନୀୟ ଗ୍ରାମବାସୀମାନେ ଆଜି କ୍ରାଇମବ୍ରାଞ୍ଚକୁ କହିଛନ୍ତି।

୨୦୨୨ ଫେବ୍ରୁଆରୀ ୭ତାରିଖରେ କ୍ୟାମେରାମ୍ୟାନ୍ ମାନସଙ୍କୁ ଅପହରଣ କରାଯାଇ ଭୁବନେଶ୍ୱର ଦୟାଲ ଆଶ୍ରମରେ ପିଟି ପିଟି ହତ୍ୟା କରାଯାଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ରଣପୁର ନିକଟରେ ମୃତଦେହକୁ ସେମାନେ ପୋତିଥିଲେ  ।

ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ମାମଲାର ତଦନ୍ତକାରୀ ଅଧିକାରୀ କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ଦୟାଲ ଆଶ୍ରମରେ ପହଞ୍ଚିଥିଲେ। ସାଙ୍ଗରେ ରାଜ୍ୟ ଓ କମିସନରେଟ ପୁଲିସର ଫରେନସିକ ଟିମ୍ ମଧ୍ୟ ଯାଇଥିଲେ। ପ୍ରଥମେ କେୟାରଟେକରଙ୍କ ବୟାନ ରେକର୍ଡ କରା ଯାଇଥିଲା। ତାଙ୍କୁ ସାଙ୍ଗରେ ଧରି ତଦନ୍ତକାରୀ ଟିମ୍ ଆଶ୍ରମ ଚତୁପାର୍ଶ୍ବ ବୁଲିଥିଲେ। ଏମିତି କିଛି ସାମଗ୍ରୀ ଖୋଜୁଥିଲେ ଯାହା ତଦନ୍ତକାରୀ ଟିମ୍ ହାତରେ ଏଯାଏ ଲାଗି ପାରି ନାହିଁ। ଯେପରିକି ହତ୍ୟାରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର, ପ୍ରମାଣ ନଷ୍ଟ ପାଇଁ ଫେବ୍ରୁଆରି ମାସରୁ ରେଜିଷ୍ଟରରୁ ଚିରା ଯାଇଥିବା ଆଗନ୍ତୁକଙ୍କ ତଥ୍ୟର ପୃଷ୍ଠା ଆଦି ଖୋଜିଥିଲେ। କିନ୍ତୁ ତାହା ତାଙ୍କୁ ମିଳି ନ ଥିଲା।

ସେହିପରି ଆଶ୍ରମ ଉପର ମହଲାରେ ଯେଉଁଠି ମାନସଙ୍କୁ ହତ୍ୟା କରା ଯାଇଥିଲା ସେଠାରୁ କିଛି ନମୁନା ସଂଗ୍ରହ କରାଯାଇଥିଲା। ଫରେନସିକ୍ ଟିମ୍ ଥ୍ରୀଡି ଲେଜର ସ୍କାନର ସହାୟତାରେ ପୂରା ଘଟଣାସ୍ଥଳର ଭିଡିଓ ସଂଗ୍ରହ କରିଥିଲେ। ସେହିପରି ଆଶ୍ରମ ବାହାରେ ମଧ୍ୟ ଥ୍ରୀଡି ସ୍କାନର ଜରିଆରେ ପୂରା ଚିତ୍ର କଏଦ କରା ଯାଇଥିଲା।

ସେପଟେ ଆଜି ଗିରଫ କରାଯିବା ପରେ ଶର୍ମିଷ୍ଠା ଏବଂ ଝୁନାଙ୍କୁ ଚାନ୍ଦବାଲିର ଜେଏମଏଫସି କୋର୍ଟରେ ହାଜର କରାଯାଇଛି। ତେବେ ମାନସ ସ୍ୱାଇଁକୁ ହତ୍ୟା କରି ଦିର୍ଘ ଦିନଧରି ପୋଲିସ ଆଖିରେ ଧୁଳି ଦେଇ ରାଜ୍ୟ ବାହାରେ ଲୁଚି ରହିଥିଲା ଶର୍ମିଷ୍ଠା । କୋଲକାତା ଓ ଗୌହାଟୀରେ ଶରଣ ନେଇଥିଲା ଶର୍ମିଷ୍ଠା ଓ ଝୁନା । ବସରେ କୋଲକାତାରୁ ଭୁବନେଶ୍ୱର ଫେରିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ଅନେକ ଦିନ ଧରି କୋଲକାତା ରେଳ ଷ୍ଟେସନରେ ରହିଥିବା କହିଛନ୍ତି ଶର୍ମିଷ୍ଠା ।