ଅବିବାହିତ ଝିଅ ବି ବିବାହ ଖର୍ଚ୍ଚ ଦାବି କରିପାରିବେ: ହାଇକୋର୍ଟ

ରାୟପୁର ୦୧/୦୪: (ସଂକେତ ଟିଭି) ଛତିଶଗଡ଼ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି କହିଛନ୍ତି ଯେ ଜଣେ ଅବିବାହିତ ଝିଅ ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ରକ୍ଷଣାବେକ୍ଷଣ ଅଧିନିୟମ, ୧୯୫୬ର ବ୍ୟବସ୍ଥା ଅନୁଯାୟୀ ନିଜ ପିତାମାତାଙ୍କ ଠାରୁ ବିବାହ ଖର୍ଚ୍ଚ ଦାବି କରିପାରିବ । ହାଇକୋର୍ଟର ଏକ ଖଣ୍ଡପୀଠ ଛତିଶଗଡ଼ ଦୁର୍ଗ ଜିଲ୍ଲାର ମୂଳ ବାସିନ୍ଦା ଥିବା ୩୫ ବର୍ଷୀୟା ମହିଳା ରାଜେଶ୍ୱରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି ।

ଆବେଦନକାରୀଙ୍କ ଓକିଲ ଏ କେ ତିୱାରୀ କହିଛନ୍ତି ଯେ ମାର୍ଚ୍ଚ ୨୧ରେ ହାଇକୋର୍ଟର ବିଚାରପତି ଜଷ୍ଟିସ ଗୌତମ ଭଦୁରୀ ଏବଂ ଜଷ୍ଟିସ ସଞ୍ଜୟ ଏସ ଅଗ୍ରୱାଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଶୁଣାଣି ପାଇଁ ଅନୁମତି ଦେଇଥିଲେ । ଶୁଣାଣି ପରେ ଏହି ମାମଲାରେ ରାୟ ପ୍ରଦାନ କରି ଖଣ୍ଡପୀଠ କହିଛନ୍ତି ଯେ ଜଣେ ଅବିବାହିତ ଝିଅ ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ରକ୍ଷଣାବେକ୍ଷଣ ଆଇନ, ୧୯୫୬ର ବ୍ୟବସ୍ଥା ଅନୁଯାୟୀ ପିତାମାତାଙ୍କ ଠାରୁ ନିଜ ବିବାହର ଖର୍ଚ୍ଚ ଦାବି କରିପାରିବ । ଏହି ମାମଲାରର ଶୁଣାଣି କାଳରେ ଖଣ୍ଡପୀଠ ୨୨ ଅପ୍ରେଲ ୨୦୧୬ରେ ଦୁର୍ଗ ପାରିବାରିକ ଅଦାଲତର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶକୁ ଅଲଗା କରି ୧୯୫୬ ଅଧିନିୟମର ଧାରା ୩(ଖ)(୨)ର ଅନୁଯାୟୀ ଏହାର ବିଚାର
ପାଇଁ ଏହି ମାମଲାକୁ ପାରିବାରିକ ଅଦାଲତକୁ ଆଉଥରେ ପଠାଇବା ସହ ଅଦାଲତ ପକ୍ଷମାନଙ୍କୁ ପାରିବାରିକ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।