ଆମାଜନ ଆମକୁ ତଳିତଳାନ୍ତ କରିଦେଲା: ଫ୍ୟୁଚର ଗୃୁପ

ନୂଆଦିଲ୍ଲୀ ୦୫/୦୪ : (ସଂକେତ ଟିଭି) ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କିଶୋର ବିୟାନିଙ୍କ ସଂସ୍ଥା ଫ୍ୟୁଚର ଗୃପ୍ ସୁପ୍ରିମ୍‌ କୋର୍ଟରେ ଆମାଜନ ବିରୋଧରେ ଅଭିଯୋଗ କରିଛି । ମାତ୍ର ୧,୪୦୦ କୋଟି ଟଙ୍କା ପାଇଁ ଆମାଜନ୍ ୨୬ ହଜାର କୋଟି ଟଙ୍କାର ଏକ କଂପାନିକୁ ନଷ୍ଟ କରିଦେଇଛି ବୋଲି କଂପାନି କହିଛି ।

ଫ୍ୟୁଚର ପକ୍ଷରୁ ଶୁକ୍ରବାର ଦିନ କୋର୍ଟଙ୍କୁ କୁହାଯାଇଛି ଯେ ଆମାଜନ ଆମକୁ ନଷ୍ଟ କରିବାକୁ ଚାହୁଥିଲା । ସେଥିରେ ତାହା ସଫଳ ହୋଇଛି । ଆମେ ଏବେ କେବଳ ସୁତା ଖିଅରେ ଝୁଲୁଛୁ । ଆମ ସହ କେହି ବ୍ୟବସାୟ କରିବାକୁ ଚାହୁନାହାନ୍ତି । ଘର ଛାଡ଼ିବା ଲାଗି ଘର ମାଲିକ କହିବା ପରେ ଆମେ କ’ଣ କରିପାରିବୁ ଆମେ ୮୩୫ରୁ ଅଧିକ ଷ୍ଟୋର ହରାଇସାରିଲୁଣି । ବଳକା ୩୭୪ ଷ୍ଟୋରକୁ କେବଳ ଭଗବାନଙ୍କୁ ପ୍ରାର୍ଥନା କରି ଚଲାଉଛୁ ବୋଲି ଫ୍ୟୁଚର ଗ୍ରୁପ୍ କୋର୍ଟଙ୍କୁ କହିଛି ।

ଫ୍ୟୁଚର ଗ୍ରୁପ୍‌ର ଏଭଳି ଅଭିଯୋଗର ଉତ୍ତରରେ ଆମାଜନ୍‌ ପକ୍ଷରୁ କୁହାଯାଇଛି ଯେ ୨୦୧୯ରେ ଯେଉଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା ସେଥିରେ ସ୍ପଷ୍ଟ ଭାବେ ସର୍ତ୍ତ ରହିଥିଲା ଫ୍ୟୁଚର ଏହାର ରିଟେଲ୍ ସମ୍ପତ୍ତିକୁ ‘ନିଷିଦ୍ଧ ବର୍ଗ’ର କୌଣସି ସଂସ୍ଥାକୁ ବିକିପାରିବନି । ସେହି ନିଷିଦ୍ଧ ତାଲିକାରେ ରିଲାଏନ୍ସ ନାମ ଥିଲା । ତାହାକୁ ଅଣଦେଖା କରି ରିଲାଏନ୍ସ ସହ ଫ୍ୟୁଚର ଗ୍ରୁପ୍ ବୁଝାମଣା କରିଥିଲା । ଏବେ ଯେଉଁ ଭାବେ ଏହା ନିଜ ଷ୍ଟୋରଗୁଡ଼ିକୁ ରିଲାଏନ୍ସକୁ ସମର୍ପି ଦେଉଛି ତାହାକୁ ନେଇ ଆମାଜନ ଆପତ୍ତି ଉଡାଇଛି । ଷ୍ଟୋର ହରାଇବା ଘଟଣା ‘ରିପ୍ଲେଜ୍ ବିଲିଭ୍ ଇଟ୍‌ ଅର ନଟ୍‌’ ସୋ’ ଭଳି ମନେ ହେଉଛି ।

ଇତିମଧ୍ୟରେ ଫ୍ୟୁଚର ଗ୍ରୁପ୍ର ପ୍ରମୁଖ ଷ୍ଟୋର ତଥା ବିଗ୍ ବଜାର, ବ୍ରାଣ୍ଡ୍ ଫ୍ୟାକ୍ଟ୍ରି ଆଦିକୁ ମୁକେଶ ଅମ୍ପାନିଙ୍କ ରିଲାଏନ୍ସ ରିଟେଲ୍‌ ଚତୁରତାର ସହ ଅଧିଗ୍ରହଣ କରୁଛି । ଅତୀତରେ ଏହି ଷ୍ଟୋରଗୁଡ଼ିକ ପାଇଁ ଫ୍ୟୁଚର ଘର ମାଲିକଙ୍କୁ ଭଡ଼ା ଦେଇପାରୁନଥିଲା । ସେହିସବୁ ମାଲିକମାନଙ୍କ ସହିତ ରିଲାଏନ୍ସ ଲିଜ୍ ବୁଝାମଣା ସ୍ୱାକ୍ଷର କରି ତାହାକୁ ସବ୍‌ଲିଜ୍‌ରେ ଫ୍ୟୁଚରକୁ ଦେଇଥିଲା ।