ଗୁଲଜାର ଅହମ୍ମଦଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କଲେ ଇମ୍ରାନ

ଇସଲାବାବାଦ ୦୫/୦୪ :(ସଂକେତ ଟିଭି)ପାକିସ୍ତାନରେ ଚାଲିଥିବା ରାଜନେତିକ କନ୍ଦଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବଡ଼ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି ଇମ୍ରାନ ଖାନ । ଫୱାଦ ଚେଧୁରୀ ଟ୍ୱିଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି ।

୨୦୧୯ରେ ଗୁଲଜାର ଅହମ୍ମଦ ପାକିସ୍ତାନର ପ୍ରଧାନ ବିଚାରପତି ହୋଇଥିଲେ । ଫୱାଦ ଚେଧୁରୀ ଟ୍ୱିଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଛନ୍ତି । ଏହାପୂର୍ବରୁ ରାଷ୍ଟ୍ରପତି ଆରିଫ ଅଲଭି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ସଂସଦରେ ବିରୋଧୀ ଦଳର ନେତା ଶାହବାଜ ସରିଫଙ୍କୁ ଚିଠି ଲେଖି ଧାରା ୨୨୪-ଏ (୧) ଅନୁଯାୟୀ କାମଚଳା ପ୍ରଧାନମନ୍ତ୍ରୀଙ୍କ ନାଁ ଦେବାକୁ କହିଥିଲେ ।

ରାଷ୍ଟ୍ରପତି ତାଙ୍କ ଚିଠିରେ କହିଥିଲେ ଯେ କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ଇମ୍ରାନ ଖାନ ପାକ୍‌ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇବେ । ଜଷ୍ଟିସ ଗୁଲଜାର ଅହମ୍ମଦ ପାକିସ୍ତାନର ୨୭ତମ ପ୍ରଧାନ ବିଚାରପତି ଥିଲେ । ସେ ଡିସେମ୍ବର ୨୧, ୨୦୧୯ରେ ପାକିସ୍ତାନର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ । ଫେବ୍ରୁଆରୀ ୨୦୨୨ ପର୍ଯ୍ୟନ୍ତ ଗୁଲଜାର ଅହମ୍ମଦ ପାକିସ୍ତାନର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ ।

ତେବେ ଗୁଲଜାର ଅହମ୍ମଦଙ୍କୁ କାମଚଳା ପ୍ରଧାନମନ୍ତ୍ରୀ କରାଯିବା ପୂର୍ବରୁ ଇମ୍ରାନ ଖାନ ରାଷ୍ଟ୍ରପତିଙ୍କ ପାଖକୁ କାମଚଳା ପ୍ରଧାନମନ୍ତ୍ରୀ ପାଇଁ ଦୁଇଟି ନାଁ ପଠାଇଥିଲେ । ସେଥିମଧ୍ୟରୁ ଅବସରପ୍ରାପ୍ତ ଜଷ୍ଟିସ ଅଜମତ ସଇଦ ଏବଂ ଅବସରପ୍ରାପ୍ତ ଲେଫଫନାଣ୍ଟ ଜେନେରାଲ ହାରୁନ ଅସଲମଙ୍କ ନାଁ ଥିବାବେଳେ ପାକିସ୍ତାନ ମୁସଲିମ ଲିଗ (ନୱାଜ) ନେତା ଶାହବାଜ ସରିଫ ରାଷ୍ଟ୍ରପତିଙ୍କୁ ନାଁ ଦେବାକୁ ମନା କରି
ଦେଇଥିଲେ । ଏବେ ଅନେକ ଆଲୋଚନା ପରେ ଗୁଲଜାର ଅହମ୍ମଦଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି ।