ଶ୍ରୀଲଙ୍କା ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଲେ ରାଜପକ୍ଷ ସରକାର

କଲୋମ୍ବୋ ୦୫/୦୪ :(ସଂକେତ ଟିଭି) ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ମଧ୍ୟରେ ମେଣ୍ଟ ସରକାର ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି। ପୂର୍ବରୁ ରାଜପକ୍ଷ ସରକାରଙ୍କୁ ସମର୍ଥନ କରୁଥିବା କିଛି ରାଜନୀତିକ ଦଳ ଏବେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି। ସେମାନେ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷଙ୍କ ଇସ୍ତଫା ଦାବି କରି ମେଣ୍ଟ ସରକାରରୁ ଓହରି ଯାଇଛନ୍ତି। ଫଳରେ ରାଜପକ୍ଷ ସରକାର ଏବେ ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି।

ସୂଚନା ଅନୁଯାୟୀ, ରାଜପକ୍ଷ ସରକାରଙ୍କୁ ସମର୍ଥନ କରୁଥିବା ୪୧ ଜଣ ସାଂସଦ ଆଜି ମେଣ୍ଟରୁ ଓହରି ଯାଇଛନ୍ତି। ସେମାନେ ସମସ୍ତେ ସାଧାରଣ ଲୋକଙ୍କ ଭଳି ଆର୍ଥିକ ସଙ୍କଟ ପାଇଁ ରାଷ୍ଟ୍ରପତି ରାଜପକ୍ଷ ଓ ତାଙ୍କ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଦାୟୀ କରିଛନ୍ତି। ଏଥିପାଇଁ ଉଭୟ ନିଜ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ୪୧ ଜଣ ସାଂସଦ ସରକାରଙ୍କ ହାତ ଛାଡ଼ି ଦେଇଛନ୍ତି।

ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ସୋମବାର ସରକାର ଗଠନ ପାଇଁ ସମସ୍ତ ଦଳକୁ ଆମନ୍ତ୍ରଣ କରିଛନ୍ତି । ଗୋଟବାୟା ସମସ୍ତ ଦଳକୁ ନିବେଦନ କରିଥିଲେ ଯେ, ସବୁ ଦଳ ମନ୍ତ୍ରାଳୟରେ ସାମିଲ ହୋଇ ଦେଶର ଏହି ସଙ୍କଟ ସମୟରେ ସମାଧାନର ବାଟ ବାହାର କରନ୍ତୁ । ଶ୍ରୀଲଙ୍କାରେ ହିଂସା ଏବଂ ରାଜନୈତିକ କଳ୍ପନାଜଳ୍ପନା ମଧ୍ୟରେ ରବିବାର ବିଳମ୍ବିତ ରାତିରେ ମନ୍ତ୍ରୀମଣ୍ଡଳ ସାମୂହିକ ଇସ୍ତଫା ଦେଇଥିଲେ । ତେବେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ତାଙ୍କ ଇସ୍ତଫା ପତ୍ର ଦାଖଲ କରିନାହାନ୍ତି ।

ସେ କହିଛନ୍ତି, ଆର୍ଥିକ ଓ ବିଶ୍ୱସ୍ତରୀୟ କାରଣରୁ ବର୍ତ୍ତମାନର ସଙ୍କଟ ଦେଖାଦେଇଛି । ଆଗାମୀ ପିଢି ଓ ରାଷ୍ଟ୍ରହିତ ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ । ସେ ସମସ୍ତ ଦଳର ପ୍ରତିନିଧିମାନଙ୍କୁ ସରକାରରେ ମନ୍ତ୍ରୀ ପଦ ପାଇଁ ଆମନ୍ତ୍ରଣ କରିଥିଲେ । ଅପରପକ୍ଷେ, ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଏବଂ ମନ୍ତ୍ରୀମଣ୍ଡଳର ସାମୂହିକ ଇସ୍ତଫା ପରେ ସୋମବାର ଚାରିଜଣ ନୂଆ ମନ୍ତ୍ରୀଶପଥ ଗ୍ରହଣ କରିଥିଲେ । ଏଥିରେ ଅର୍ଥମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ପ୍ରମୁଖ ସାମିଲ ଥିଲେ । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ସମ୍ମୁଖରେ ଅଲୀ ସାବରୀ ଅର୍ଥ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ବେସିଲ ରାଜପକ୍ଷଙ୍କ ସ୍ଥାନରେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିଲା। ସେହିପରି ଜିଏଲ୍‌ ପେଇରିସ୍ ନୂଆ ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋଇଥିଲେ । ଦୀନେଶ ଗୁଣବର୍ଦ୍ଧନ ଶିକ୍ଷା ମନ୍ତ୍ରୀ ହୋଇଥିବାବେଳେ ଜନସନ ଫର୍ନାଣ୍ଡୋ ରାଜପଥ ମନ୍ତ୍ରଣାଳୟ ଭାର ସମ୍ଭାଳିଥାନ୍ତେ ।

ଅନ୍ୟପକ୍ଷରେ ଦେଶରୁ ଜରୁରୀ ପରିସ୍ଥିତି ଲାଗୁ ହୋଇଥିଲେ ମଧ୍ୟ ଶହଶହ ଲୋକ କଲମ୍ବୋ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରି ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରୁଥିବା ମଧ୍ୟ ଖବର ମିଳିଛି।

ଶ୍ରୀଲଙ୍କାରେ ଏବେ ଲୋକଙ୍କୁ ଠିକ ଭାବେ ଖାଦ୍ୟ ମିଳୁନାହିଁ। ଡିଜେଲ ଅଭାବରୁ କଳକାରଖାନା ଓ ଗାଡ଼ି ମୋଟର ବନ୍ଦ ହୋଇଯାଇଛି। ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଇଁ ହେବାରୁ ଲୋକମାନେ ଏଗୁଡ଼ିକ କିଣିବାକୁ ଅକ୍ଷମ ହେଉଛନ୍ତି। ବିଭିନ୍ନ ସହରରେ ୧୦ରୁ ୧୨ ଘଣ୍ଟା ବିଜୁଳି କାଟ ଲୋକଙ୍କ ଧୈର୍ଯ୍ୟର ବନ୍ଦ ମଧ୍ୟ ଭାଙ୍ଗି ଦେଇଛି।