ଫେଲ୍ ମାରିଲା ଆପ୍‌ର ମିଶନ୍ ଗୁଜୁରାଟ୍‌, ଆପ୍ ଛାଡ଼ିଲେ ୧୫୦ ନେତା

ଅହମଦାବାଦ୍ ୦୬/୦୪ :(ସଂକେତ ଟିଭି) ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟି(ଆପ୍‌)ର ଏକତରଫା ବିଜୟ ପରେ ଦଳର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଚଳିତ ବର୍ଷ ବିଧାନସଭା ନିର୍ବାଚନକୁ ଲକ୍ଷ୍ୟ କରି ଆରମ୍ଭ କରିଥିଲେ ମିଶନ୍‌ ପଞ୍ଜାବ । ସେଥିରେ ମଧ୍ୟ ବିରୋଧୀମାନଙ୍କୁ ଧରାଶାୟୀ କରି ପଞ୍ଜାବରେ ବଡ଼ ବିଜୟ ହାସଲ କରିଥିଲା ଆପ୍ । ଏହାପରେ ଆରମ୍ଭ ହୋଇଥିଲା ମିଶନ୍ ଗୁଜୁରାଟ୍ ।

ଦୁଇଦିନ ତଳେ ଗୁଜୁରାଟ ଗସ୍ତରେ ଯାଇ ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୋଭାଯାତ୍ରା କରି ଦଳୀୟ ପ୍ରଚାର କରି ମିଶନ୍ ଗୁଜୁରାଟ୍ ଆରମ୍ଭ କରିଥିଲେ । ଏହି ଗସ୍ତ ବେଳେ ସାବରମତୀ ଆଶ୍ରମ ଯାଇ କେଜ୍ରିୱାଲ ଅରଟରେ ସୂତା କାଟିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଗୁଜୁରାଟରେ ଡିସେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ଲୋକଙ୍କ ବହୂମତ ହାସଲ କରିବ ବୋଲି ଗୁଇନ୍ଦା ମଧ୍ୟ ସର୍ବେକ୍ଷଣ କରିଥିବା କହିଥିଲା । କିନ୍ତୁ ଏହାରି ଭିତରେ ଦଳକୁ ଏକ ଶକ୍ତ ଝଟ୍‌କା ଲାଗିଛି । ଗୁଜୁରାଟରୁ ଅରବିନ୍ଦ କେଜ୍ରିୱାଲ ଫେରୁ ଫେରୁ ୧୫୦ ଜଣ ନେତା ଆମ୍‌ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମୟରେ କେବଳ ଆପ୍‌ ନୁହେଁ ବରଂ କଂଗ୍ରେସର ମଧ୍ୟ କେତେକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଗୁଜୁରାଟ ବିଜେପିର ସାଧାରଣ ସମ୍ପାଦକ ପ୍ରଦୀପସିଂ ଭାଗେଲା କହିଛନ୍ତି, “ଦିଲ୍ଲୀର ସିଏମ୍ ଏବଂ ପଞ୍ଜାବର ସିଏମ୍ ଘରେ ପହଂଚି ନଥିବେ କି ଖାଦ୍ୟ ବି ଖାଇନଥିବେ , କିନ୍ତୁ ସେପଟେ ତାଙ୍କ ଦଳର ଅନେକ ଲୋକ ବିଜେପିରେ ଯୋଗ ଦେଇଛନ୍ତି ।

ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେମାନେ ଗୁଜୁରାଟର ଲୋକଙ୍କୁ ବୋକା ବନାଇ ପାରିବେ ନାହିଁ । ତାଙ୍କର ଗୁଜୁରାଟ ଗସ୍ତର କୌଣସି ଅର୍ଥ ନାହିଁ । ଗୁଜୁରାଟର ଲୋକଙ୍କ ଆଶୀର୍ବାଦ ବିଜେପିରେ ଅଛି” ।