୨୦ ବର୍ଷ ହେଲା ପଥର ଖାଉଛନ୍ତି ଯୁବକ
ରାୟପୁର ୦୬/୦୪ :(ସଂକେତ ଟିଭି)ଛତିଶଗଡ଼ର ଯଶପୁର ଜିଲ୍ଲାରେ ଜଣେ ଏମିତି ବ୍ୟକ୍ତି ଅଛନ୍ତି, ଯିଏକି ଭୋଜନ ବ୍ୟତୀତ ପଥର ମଧ୍ୟ ଖାଉଛନ୍ତି । ଆଶ୍ଚର୍ଯ୍ୟର କଥା ଏହା କି ବର୍ଷ ବର୍ଷ ଧରି ପଥର ଖାଇବା ପରେ ମଧ୍ୟ ଏହି ବ୍ୟକ୍ତି ଏବେସୁଦ୍ଧା ସ୍ୱାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟାରେ ପଡ଼ିନାହାନ୍ତି । ସେ ଏହାକୁ ଏକ ଦିବ୍ୟ ଶକ୍ତି ବୋଲି କହୁଛନ୍ତି । ଅନେକ ଲୋକ ତାଙ୍କ ପାଖକୁ ନିଜର ସମସ୍ୟା ନେଇ ଆସିଥାନ୍ତି ଏବଂ ସେ ପଥର ଖାଇ ନିଃଶୁଳ୍କ ସେମାନଙ୍କର କଷ୍ଟ ଦୂର କରିବାର ଦାବି ମଧ୍ୟ କରନ୍ତି ।
ଯଶପୁର ଜିଲ୍ଲାର ବଗିଚା ବ୍ଲକ୍ ଅନ୍ତର୍ଗତ ଛିପାତାଲା ଗାଁର ନିବାସୀ ୫୧ ବର୍ଷୀୟ ସନ୍ତୋଷ ଲକଡା ଗତ ୨୦ ବର୍ଷରୁ ପଥର ଖାଉଛନ୍ତି । ସାଧାରଣ ମଣିଷ ଯଦି ପଥର ଖାଏ ତ ତାଙ୍କୁ ରୋଗ ହେବାର ସମ୍ଭାବନା ଥାଏ । ହେଲେ ସନ୍ତୋଷଙ୍କୁ ଏବେସୁଦ୍ଧା କୌଣସି ସମସ୍ୟା ହୋଇନାହିଁ । ତାଙ୍କର ଦାବି କି ସେ ଏବେସୁଦ୍ଧା ହଜାର ହଜାର ପଥର ଖାଇ ସାରିଛନ୍ତି । ପଥର ଖାଇବା ପରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ କୌଣସି ସମସ୍ୟା ହୋଇ ନାହିଁ । ସନ୍ତୋଷ ଏହାକୁ ଇଶ୍ୱରୀୟ ଶକ୍ତି ବୋଲି କୁହନ୍ତି । ତାଙ୍କର ଦାବି କି ସେ ଇଶ୍ୱରୀୟ ପ୍ରାର୍ଥନାରେ ଲୋକଙ୍କର ସମସ୍ୟା ଦୂର କରିଥାନ୍ତି ।
ଈସାଇ ଧର୍ମକୁ ମାନୁଥିବା ସନ୍ତୋଷ ଘରର ଏକ କୋଠରୀରେ ପ୍ରଭୁ ଯୀଶୁଙ୍କର ଅନେକ ପ୍ରତିମା ଓ ଫଟୋ ଲଗେଇ ରଖିଛନ୍ତି । ସେହି କୋଠରୀରେ ବସି ସନ୍ତୋଷ ପ୍ରାର୍ଥନା ମାଧ୍ୟମରେ ଲୋକଙ୍କର ଅସୁବିଧା ଦୂର କରିବାକୁ ଦାବି କରନ୍ତି । ସନ୍ତୋଷ ପ୍ରାର୍ଥନା ବେଳେ ଆଣ୍ଠୁରେ ବସିଥାନ୍ତି ଏବଂ ଉଭୟ ଆଣ୍ଠୁ ତଳେ ଛୋଟ ଛୋଟ ପଥରକୁ ରଖି ଈଶ୍ୱରଙ୍କର ଆରାଧନା କରିଥାନ୍ତି । ପ୍ରାର୍ଥନା ପରେ ସନ୍ତୋଷ ଲୋକଙ୍କ ଦୁଃଖ ଯନ୍ତ୍ରଣାକୁ ନିଜ ଭିତରେ ଗ୍ରହଣ କରିବାର ଦାବି କରି ଛୋଟ ଛୋଟ ପଥର ଖଣ୍ଡକୁ ପାଟିରେ ପକାଇ ଗିଳି ଦିଅନ୍ତି ।