ଫେକ୍ ଚ୍ୟାନେଲ ଉପରେ ଡିଜିଟାଲ ଷ୍ଟ୍ରାଇକ୍‌, ୨୨ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ

ନୂଆଦିଲ୍ଲୀ ୦୬/୦୪ :(ସଂକେତ ଟିଭି) ମିଥ୍ୟା ଖବର ପ୍ରଚାର କରୁଥିବା ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକ ଉପରେ ମୋଦି ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୧୮ଟି ଭାରତୀୟ ଓ ୪ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ଡିଜିଟାଲ ଷ୍ଟ୍ରାଇକ୍ କରାଯାଇଛି । ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଓ ଜନଶୃଙ୍ଖଳା ଉପରେ ମିଥ୍ୟା ସୂଚନା ପ୍ରସାରଣ କରୁଥିବା ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକ ଉପରେ ଏହି କାର୍ଯ୍ୟାନୁଷ୍ଠାନ ମୋଦି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି ।

ଏହାବ୍ୟତୀତ ୩ଟି ଟ୍ୱିଟର, ଗୋଟିଏ ଫେସ୍‌ବୁକ୍ ଆକାଉଣ୍ଟ ଏବଂ ଏକ ନ୍ୟୁଜ୍ ୱେବ୍‌ସାଇଟ୍‌କୁ ମଧ୍ୟ ବ୍ଲକ୍ କରିଦିଆଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦର୍ଶକମାନଙ୍କୁ ବିଭ୍ରାନ୍ତ କରିବାପାଇଁ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକ ଟିଭି ନ୍ୟୁଜ୍‌ ଚ୍ୟାନେଲର ଲୋଗୋ ଓ ଥମ୍ବନେଲ ବ୍ୟବହାର କରୁଥିଲେ । ଏହାସହ ଏହି ଚ୍ୟାନେଲଗୁଡ଼ିକ ଭାରତୀୟ ସଶସ୍ତ୍ରବାହିନୀ, ଜାମ୍ମୁ କାଶ୍ମୀର ଭଳି ବିଭିନ୍ନ ଭାରତ ବିରୋଧୀ ମିଥ୍ୟା ଖବର ପୋଷ୍ଟ କରୁଥିଲେ । ଅନ୍ୟ ଦେଶ ସହ ସମ୍ପର୍କ ତିକ୍ତ କରିବାପାଇଁ ବ୍ୟାନ୍ କରାଯାଇଥିବା ଚ୍ୟାନେଲଗୁଡ଼ିକ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସହ ଜଡ଼ିତ ଥିବା ମିଥ୍ୟା ଖବର ପ୍ରସାରଣରେ ମାତିଥିଲେ ।

ଏହାପୂର୍ବରୁ ଜାନୁଆରୀ ମାସରେ ମୋଦି ସରକାର ୩୫ଟି ୟୁଟ୍ୟୁବ୍ ଚ୍ୟାନେଲ ଉପରେ ବ୍ୟାନ୍‌ ଲଗାଇଥିଲେ । ଜାନୁଆରୀ ୨୦ରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଏହି ୩୫ଟି ୟୁଟ୍ୟୁବ୍ ଚ୍ୟାନେଲ, ଦୁଇଟି ଟ୍ୱିଟର ଆକାଉଣ୍ଟ, ଦୁଇଟି ୱେବ୍‌ସାଇଟ ଏବଂ ଗୋଟିଏ ଫେସବୁକ୍ ଆକାଉଣ୍ଟକୁ ବ୍ଲକ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସମସ୍ତ ଆକାଉଣ୍ଟ ଗୁଡ଼ିକ ପାକିସ୍ତାନରୁ ପରିଚାଳିତ ହେଉଥିବାବେଳେ ଏମାନେ ଭାରତ ବିରୋଧୀ ମିଥ୍ୟା ଖବର ପ୍ରସାର କରୁଥିଲେ ।