ଖାଉଟିଙ୍କୁ ପୁଣି ଝଟ୍‌କା, ବଢ଼ିବ କ୍ଷୀର ଦାମ୍‌

ନୂଆଦିଲ୍ଲୀ ୦୭/୦୪ :(ସଂକେତ ଟିଭି) : ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼ । ବଜାରରେ ଖୁବଶୀଘ୍ର ଅମୁଲ କ୍ଷୀରର ଦାମ୍‌ ବୃଦ୍ଧି ପାଇବାକୁ ଯାଇଛି । କ୍ଷୀର ପ୍ୟାକେଜିଂ ସହ ଅନ୍ୟାନ୍ୟ ଦର ବୃଦ୍ଧି ଯୋଗୁ କ୍ଷୀରର ଦାମ୍‌ ବୃଦ୍ଧି କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି । ତେବେ କ୍ଷୀର ଲିଟର ପ୍ରତି କେତେ ଟଙ୍କା ବୃଦ୍ଧି କରାଯିବ ତାହା ନେଇ କମ୍ପାନୀ ପକ୍ଷରୁ ସ୍ଥିର କରାଯାଇନାହିଁ । ଏନେଇ ଅମୂଲ କମ୍ପାନୀର ମୁଖ୍ୟ ନିର୍ଦେଶକ ଆରଏସ୍‌ ସୋଢ଼ି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ସେ କହିଛନ୍ତି ଗତ ମାସରୁ ଦୁଧ ମୂଲ୍ୟ ଲିଟର ପ୍ରତି ୨ଟଙ୍କା ବୃଦ୍ଧି ପାଇଛି । ଏହା ଦ୍ୱାରା କୃଷକ ମାନେ ଉପକୃତ ହେଉଛନ୍ତି । ତାହାଛଡ଼ା କମ୍ପାନୀରେ ଶ୍ରମ ଶକ୍ତି ବଢ଼ିଛି । ଶୀତଳ ଭଣ୍ଡାରର ମୂଲ୍ୟ ଉପରେ ମଧ୍ୟ କିଛି ପ୍ରଭାବ ଦେଖିବାକୁ ମିଳୁଛି । ଏହି ଚାପ ଯୋଗୁ କ୍ଷୀର ଦର ବୃଦ୍ଧି ପାଇବାକୁ ଯାଇଛି ବୋଲି କମ୍ପାନୀର ମୁଖ୍ୟ ନିର୍ଦେଶକ ଆରଏସ୍‌ ସୋଢ଼ି କହିଛନ୍ତି ।

ତାହା ସହ ସେ ଆହୁରୀ ମଧ୍ୟ କହିଛନ୍ତି କରୋନା ମହାମାରୀ କାରଣରୁ ଚାଷୀ ମାନେ କ୍ଷୀରର ଦାମ୍‌ ବୃଦ୍ଧି କରିଛନ୍ତି । ବିଭିନ୍ନ ସମସ୍ୟା ହେତୁ କମ୍ପାନୀର ଲାଭ ହ୍ରାସ ପାଇଛି । ଦର ବୃଦ୍ଧି କାରଣରୁ କମ୍ପାନୀ ଅସନ୍ତୁଷ୍ଟ ରହିଛି ବୋଲି ସୋଢ଼ି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।