ଦିଲ୍ଲୀ-ମସ୍କୋ ବିମାନ ସେବା ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ ୦୮/୦୪ :(ସଂକେତ ଟିଭି) : ଦିଲ୍ଲୀ-ମସ୍କୋ ବିମାନ ସେବାକୁ ହଠାତ୍ ବାତିଲ କରିଦେଇଛି ଏୟାର ଇଣ୍ଡିଆ । ରୁଷ ଓ ୟୁକ୍ରେନ ଯୁଦ୍ଧ ଚରମ ସୀମାରେ ପହଞ୍ଚି ଥିବା ବେଳେ ବିମାନ ଯାତ୍ରା ପ୍ରତି ବିପଦ ରହିଥିବା ଆଶଙ୍କା କରିଛି ଏୟାର ଇଣ୍ଡିଆ । ଏଥିପାଇଁ ବିମାନ ଉଡ଼ାଣକୁ ବାତିଲ କରାଯାଇଥିବା ଜଣାପଡ଼ିଛି । ଯେଉଁ ଯାତ୍ରୀମାନେ ଏହି ବିମାନରେ ଯାତ୍ରା କରିବାକୁ ଟିକେଟ ବୁକିଂ କରି ସାରିଥିଲେ, ସେମାନଙ୍କୁ କମ୍ପାନୀ ପକ୍ଷରୁ ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ । ନ୍ୟୁଜ ଏଜେନ୍ସି ଟାସ୍‌ ରୁଷ ଦୂତାବାସ ପକ୍ଷରୁ ତଥ୍ୟ ସଂଗ୍ରହ କରି ଏପରି ରିପୋର୍ଟ ପ୍ରକାଶ କରିଛି ।

ରୁଷ ଦୂତାବାସ କହିଛି ଯେ ପ୍ରିୟର ନାଗରିକ, ଆମେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି ଯେ ଭାରତୀୟ ଏୟାର ଲାଇନ ଏୟାର ଇଣ୍ଡିଆ ଦିଲ୍ଲୀ-ମସ୍କୋ-ଦିଲ୍ଲୀ ବିମାନ ସେବା ପାଇଁ ଟିକେଟ ବିକ୍ରି କରିବା ବନ୍ଦ କରିଛି । ବର୍ତ୍ତମାନ ସ୍ଥିତିରେ ରୁଷକୁ ଉଡ଼ାଣ କେବେ ଆରମ୍ଭ ହେବ, ସେକଥା କୁହାଯାଇ ପାରିବ ନାହିଁ ।

ଏୟାର ଇଣ୍ଡିଆର ନିୟମ ଅନୁଯାୟୀ, ଯାତ୍ରୀମାନଙ୍କୁ ସେମାନଙ୍କ ଟିକେଟ ଟଙ୍କା ଫେରସ୍ତ କରାଯିବ । ତେଣୁ କେହି ବ୍ୟସ୍ତ ହୁଅନ୍ତୁ ନାହିଁ । ଏହି ଘୋଷଣା ପୂର୍ବରୁ ଏୟାର ଇଣ୍ଡିଆ ପକ୍ଷରୁ ଭାରତ ଓ ରୁଷ ମଧ୍ୟରେ ଦୁଇଟି ବିମାନ ଚାଲୁଥିଲା । ଯଦି ଆଗକୁ କୌଣସି ପ୍ରକାରର ଅପ୍ରୀତିକର ସ୍ଥିତି ନ ଉପୁଜିବ, ତା’ହେଲେ ଏୟାର ଇଣ୍ଡିଆ ରବିବାର ତା’ର ଦ୍ୱିତୀୟ ବିମାନ ସେବା ଆରମ୍ଭ କରିବ ବୋଲି ଜଣାପଡ଼ିଛି ।